ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । କିନ୍ତୁ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ ।

ଚଳିତ ବର୍ଷ ସାଆନ୍ତେଙ୍କ ସ୍ନାନଯାତ୍ରାକୁ ଦେଖିପାରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ । ସେହିପରି ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ ।
କରୋନା କଟକଣା କାରଣରୁ ଗତ ୨ ବର୍ଷ ହେବ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିଲା । ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ହେଉଥିଲେ ମଧ୍ୟ ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଦିଶୁଥିଲା । କିନ୍ତୁ ଏଥର ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଉ ଏଭଳି ଏକ ନିଷ୍ପତ୍ତି ଭକ୍ତ ମହଲରେ ଖୁସି ଆଣି ଦେଇଛି ।
ଆଜି ପ୍ରଥମେ ଦଇତାପତି ନିଯୋଗ, ପୂଜାପଣ୍ଡା ନିଯୋଗ, ପ୍ରତିହାରି ନିଯୋଗ, ପୁଷ୍ପାଳକ ନିଯୋଗ ସହ ଆଲୋଚନା ହୋଇଛି । ସ୍ନାନଯାତ୍ରା ସମୟରେ ୨ରୁ ୩ ଘଣ୍ଟା ପାଇଁ ସାହାଣ ମେଲା ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିଭଳି ହାତୀବେଶ ପରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଯେପରି ଦର୍ଶନ କରିପାରିବେ ସେ ନେଇ ଆଲୋଚନା ହୋଇଛି । ଏଥିପାଇଁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।