ରାଜ୍ୟବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି ସଙ୍ଗୀତା, ମେଡିକାଲ ବେଡରେ ବ୍ଲଡ କ୍ୟାନ୍ସର ସହ ଜାରି ରହିଛି ସଂଘର୍ଷ

ବାପା-ମାଙ୍କର ସାହା ହେବ ବୋଲି କଥା ଦେଇଥିଲା ସଙ୍ଗୀତା । ସ୍ବପ୍ନକୁ ପୂରଣ କରିବା ଲାଗି କଠୋର ପରିଶ୍ରମ ମଧ୍ୟ ଜାରି ରଖିଥିଲା । ହେଲେ ଦଇବ ସହିଲା ନାହିଁ । ସଙ୍ଗୀତାଙ୍କ ସ୍ବପ୍ନରେ ଏବେ ଡୋରି ବାନ୍ଧି ହୋଇଯାଇଛି । ଏବେ ସଙ୍ଗୀତା ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ହୋଇ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ସଙ୍ଗୀତାଙ୍କ ଜୀବନ ବଞ୍ଚାଇବା ଲାଗି ଦରକାର 15 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଏପଟେ ମା ଆଖିରୁ ଲୁହ ଶୁଖୁନି । ଯେଉଁ ଝିଅକୁ ସେ ଏତେ ଭଲ ପାଉଥିଲେ ତାକୁ ହସ୍ପିଟାଲ ବେଡରେ ଦେଖି ଆଉ ସହିପାରୁ ନାହାନ୍ତି ମା ।

ସଙ୍ଗୀତଙ୍କ ପରିବାରରେ ତାଙ୍କ ବାପା-ମା, ଭାଇ ଓ ଦୁଇ ଭଉଣୀ ରହୁଛନ୍ତି । ସଙ୍ଗୀତଙ୍କ ବାପା ଜଣେ ଦିନମଜୁରିଆ ହୋଇଥିବାବେଳେ ସେ ଯାହା ଅର୍ଥ ସଞ୍ଚିତ କରି ରଖିଥିଲେ ତାହା ସମୁଦ୍ରକୁ ଶଙ୍ଖେ । ସଙ୍ଗୀତା ହେଉଛନ୍ତି ଜଟଣୀ ନିର୍ବାଚନ ମଣ୍ଡଳୀର ଭଗବତୀ କଲୋନୀ 19 ନମ୍ବର ୱାର୍ଡର ବି. କ୍ରିଷ୍ଣା ରେଡ୍ଡୀ ଓ ବି. ରାଧା ରେଡ୍ଡୀଙ୍କ ଝିଅ । ପ୍ରାୟ ଏକ ମାସ ତଳେ ସଙ୍ଗୀତାଙ୍କ ଦୁଇ ଗୋଡ଼ ଫୁଲିବାକୁ ଲାଗିଥିଲା । ପରେ ସେ ପରୀକ୍ଷା କରିବାରୁ ତାଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । ସେବେଠାରୁ ସେ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ।

ଝିଅର ଚିକିତ୍ସା ପାଇଁ ତାଙ୍କ ମା ପ୍ରଶାସନ ତଥା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିବା ସହ ରାଜ୍ୟବାସୀଙ୍କୁ ସହାୟତା ପାଇଁ ପ୍ରାର୍ଥନା କରିଛନ୍ତି । ଯଦି କୌଣସି ସ୍ବେଚ୍ଛସେବୀ ସଙ୍ଗଠନ କିମ୍ବା ସହୃଦୟ ବ୍ୟକ୍ତି ସଙ୍ଗୀତାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଭଉଣୀ ବିରଲୁ ସନ୍ଧ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ କିମ୍ବା ତାଙ୍କ ଫୋନ ପେ ନମ୍ବରରେ ସାହାଯ୍ୟ କରିବା ପାଇଁ ସଙ୍ଗୀତା ଯୋଡ ହସ୍ତରେ ଅନୁରୋଧ କରିଛନ୍ତି ।
Account No. – 3673108004416, IFSC code – CNRB0003673, Canara Bank, Jatni
Phone-pay No. – 8260527661