ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ଷ୍ଟାର ପ୍ରଚାରକ ତାଲିକା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମିବ ପ୍ରଚାର ମୈଦାନ । ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଥିବାବେଳେ ତ୍ରିମୁଖୀ ଲଢେଇରେ କିଏ ବାଜିମାତ୍ କରିବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ।
ଅପରପକ୍ଷେ ମେ’ ୩୧ରେ ବ୍ରଜରାଜନଗର ପାଇଁ ଭୋଟ ଗ୍ରହଣ ହେବ । ଏବଂ ଜୁନ୍ ୩ରେ ଗଣତି ହେବ । ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ତେବେ ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତୀତ ବ୍ରଜାରାଜନଗର ଆସନ ପାଇଁ ମୋଟ୍ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏପଟେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳ ପକ୍ଷରୁ ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି ।

ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପ-ନିର୍ବାଚନ ପ୍ରଚାର କରିବେ । ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଶନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀଙ୍କ ନାଁ ମଧ୍ୟ ରହିଛି । ଗତ ନିର୍ବାଚନରେ ବ୍ରଜରାଜନାଗର ଆସନ ବିଜେଡି କବଜାରେ ରହିଥିବାବେଳେ ଦଳ ଏ ନେଇ ପୁରା କସରତ ଆରମ୍ଭ କରିଦେଇଛି । ତେବେ ଜନତା କାହା ମୁଣ୍ଡରେ ପିନ୍ଧାଇବେ ବ୍ରଜରାଜନଗର ମୁକୁଟ ତାକୁ ହିଁ ଅପେକ୍ଷା ।