ସ୍ଥଳଭାବ ଛୁଇଁବନି ବାତ୍ୟା …

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ଆସନ୍ତାକାଲି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ଆରକେ ଜେନାମଣି । ସେ କହିଛନ୍ତି, ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଘନୀଭୂତ ହୋଇଛି । ବର୍ତ୍ତମାନ ଏହା ସ୍ପଷ୍ଟ ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏପରିକି ବାତ୍ୟା ସମୁଦ୍ର ମଧ୍ୟରେ ଉପକୂଳଠାରୁ ଦେଢ଼ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଥାଇ ରି-କର୍ଭ କରିବାର ସମ୍ଭାବନା ରହିଛି ।
ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ । ପରେ ଗତିପଥ ବଦଳାଇବ । କିନ୍ତୁ ସ୍ଥଳ ଭାଗକୁ ଆସିବ ନାହିଁ ।
ଅପରପକ୍ଷେ ବାତ୍ୟା ଲ୍ୟାଣ୍ଡଫଲ୍ ନକରି ସମୁଦ୍ର ଉପରେ ଚାଲିଯିବ । ବାତ୍ୟା ଯୋଗୁଁ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ