ଖୁବଶୀଘ୍ର ପରଦାକୁ ଆସୁଛି ‘ଡିଟେକ୍ଟିଭ୍ କରନ୍- ଅର୍ଜୁନ’

ରିଲିଜ ହେଲା ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍- ଅର୍ଜୁନ’ର ଅଡିଓ । ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ । ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକଟ ହୋଇଛି । ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ ଗାଇଛନ୍ତି ସ୍ମୃତି । ସେହପରି ‘ ଏକ୍ ଦୋ ତିନି ଚାର୍, ଚାରିଆଡେ ଦିଶୁଛି ମୋ ପ୍ୟାର’ ଗୀତକୁ ଗାଇଛନ୍ତି ଅଭିଜିତ ମଜୁମଦାର ଓ ସଂଜୁ । ଅପରପକ୍ଷେ ‘ଛାଡରେ ସାଙ୍ଗ ଗନ୍ଧିଆ କଥା’ ଗୀତକୁ ଗାଇଛନ୍ତି ଇଶ୍ୱରୀ । ସମସ୍ତ ଗୀତକୁ ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର ।

ଆସନ୍ତା ୧୫ ତାରିଖ ସଂଧ୍ୟା ୬ଟା ୩୦ରେ ଏହି ଚଳଚ୍ଚିତ୍ର ଜୀ ସାର୍ଥକରେ ରିଲିଜ ହେବ । ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି ନୂଆ ସିନେମା ‘ ଡିଟେକ୍ଟିଭ୍ କରନ୍ – ଅର୍ଜୁନ’ । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ କମେଡି କିଙ୍ଗ ପପୁ ପମପମଙ୍କୁ ଦେଖିବାକୁ ମିଳିବ । ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମଦାର ଅଭିନୟର ମଜା ନେବେ ଦର୍ଶକ । ଉଭୟ ପପୁ ଓ ପ୍ରଜ୍ଞା ‘କରନ୍- ଅର୍ଜୁନ୍’ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି, ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର ।

ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି । ପପୁ ପମପମ ନିଜେ ସିନେମାର କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍ ।
ଭୁବନେଶ୍ବରରୁ ଅଭିଜିତ ସିଂ