ଆସନ୍ତା ୮ରେ ଅବପାତରେ ପରିଣତ ହୋଇପାରେ ସମ୍ଭାବ୍ୟ ବାତ୍ୟା, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ !

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପରେ ବାତ୍ୟା ନେଇ ସଠିକ୍ ଆକଳନ କରିହେବ । ବାତ୍ୟା ହେଲେ କେଉଁଠି ଲ୍ୟାଣ୍ଡଫଲ୍ କରିବ, ତୀବ୍ରତା କେତେ ରହିବ ଆଦିର ଆକଳନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ହେଲେ ଏ ଯାଏଁ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ସେ ସମ୍ପର୍କରେ ବି ହୋଇପାରିନି ପୂର୍ବାନୁମାନ ।
ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୮ ତାରିଖରେ ଅବପାତରେ ପରିଣତ ହୋଇପାରେ । ମେ’ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟା ପାଇଁ ଅନୁକୂଳ କରିଥାଏ । ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ, ତାହା ବର୍ତ୍ତମାନଠୁ କହିହେବନି ବୋଲି କହିଛନ୍ତି ଆଇଏମଡି ଡିଜି ।
ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି । ୬ ତାରିଖ ସୁଦ୍ଧା ତାହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ତା’ ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ୨ ଦିନ ପାଇଁ ଗତି କରିବ । ଏହା କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ବାତ୍ୟା ହେଲେ ତାହା କେତେ ତୀବ୍ର ହେବ, କେଉଁ ଉପକୂଳରେ ପହଞ୍ଚିବ, କେଉଁ ଅଞ୍ଚଳ ବେଶି କ୍ଷତିଗ୍ରସ୍ତ ହେବ ସେ ନେଇ କିଛି ଆକଳନ କରାଯାଇନି ।
ତେବେ ଏ ଯାଏଁ ବାତ୍ୟା ନେଇ କିଛି ସ୍ପଷ୍ଟ ଚିତ୍ର ଆସି ନ ଥିବାବେଳେ ଆଣ୍ଡାମାନ ସାଗର, ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ସେପଟେ, ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାପରେ ସମ୍ଭାବ୍ୟ ବାତ୍ୟାର ଦିଗ କୁଆଡେ ଯିବ ସେ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ