ଅଖିମୁଠି ଅନୁକୂଳ କରୁଛନ୍ତି କୃଷକ…

ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି ମଧ୍ୟ ବିବେଚନା କାରଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରନ୍ତି । କ୍ଷେତର ଐଶ୍ବନ୍ୟ କୋଣରେ ନୈବେଦ୍ୟ ଦେଇ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କୁହାଯାଇଥାଏ ।

ଆଜିର ଦିବ୍ୟ ମୁହୁର୍ତ୍ତରେ ଯେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ । ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ଆରମ୍ଭ ହୁଏ । ଏହାସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ । ଆଜି ଅପରାହ୍ନ ୪ଟାରେ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାମ ଅନୁକୂଳ ହେବ ।

ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରଥଖଳା ଉପରେ ଚାଳି ପକାଯାଇଛି । ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଶହ ଖଣ୍ଡ କାଠ ରଥଖଳାକୁ ଆସିସାରିଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରୁ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।
ଅପରପକ୍ଷେ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ । ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିବେ ମହାପ୍ରଭୁ ।
ବ୍ୟୁରୋ ରିପୋର୍ଟ