ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉନ୍ମୋଚିତ ହେବ ମ୍ୟୁଜିୟମ୍

ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ମସିହା ଏପ୍ରିଲ ୨୮ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ମଧୁବାବୁଙ୍କ ମାତୃପିତୃଦତ୍ତ ନାମ ଥିଲା ଗୋବିନ୍ଦ ବହ୍ଲଭ । ସେ ଗୃହର ଜ୍ୟେଷ୍ଠପୁତ୍ର ଥିଲେ । ସେ ଗାଁ ଚାଟଶାଳୀରେ ସ୍କୁଲଶିକ୍ଷା ଶେଷକରି କଟକ ହାଇସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏହା ପରେ ପରେ ବାଲେଶ୍ଵରରେ ତାଙ୍କୁ ଏକ କିରାଣୀ ଚାକିରୀ ମିଳିଥିଲା । ମାତ୍ର ମଧୁବାବୁ ଥିଲେ ଉଚ୍ଚାଭିଳାଶି । ଏହି କିରାଣୀ ଚାକିରୀରେ ତାଙ୍କର ଅସୀମ ଜ୍ଞାନଲିପ୍ସା ଚରିତାର୍ଥ ହେଲାନାହିଁ । ଫଳରେ ଉଚ୍ଚଶିକ୍ଷା ଲାଭ ଆଶାରେ ସେ କଲିକତା ଚାଲି ଆସିଲେ । କଲିକତାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ପ୍ରେରଣା ଓ ସହାୟତାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ଏ ପାସ କରିଥିଲେ । ପରେ ସେ କଲିକତାର ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଅବଶେଷରେ ସେ ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ବିଭିନ୍ନ ବିଷୟରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଏହି ସମୟରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ମଧ୍ୟ ପାସ୍ କଲେ ।
ଅମ୍ବିକା ପ୍ରସାଦ ଓ ତାଙ୍କର ପତ୍ନୀଙ୍କ ମୃତ୍ୟୁ ପରେ ସେମାନଙ୍କ ପିଲାମାନଙ୍କର ଭାର ମଧୁବାବୁଙ୍କ ଉପରେ ନ୍ୟସ୍ତ ଥିଲା । ବିଶେଷ କରି ଶୈଳବାଳା ଏବଂ ସୁଧାଂଶୁବାଳା ନାମ୍ନୀ ଦୁଇଟି କନ୍ୟାଙ୍କୁ ସେ ନିଜର କନ୍ୟାରୂପେ ଆଜୀବନ ପାଳନ କରିଥିଲେ । ସେହି ପାଳିତା କନ୍ୟାଙ୍କ ନାମାନୁସାରେ କଟକରେ ଶୈଳବାଳା ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ତାହା ଥିଲା ମଧୁବାବୁଙ୍କ ବାସଗୃହ । ଅମ୍ବିକା ପ୍ରସାଦ ହାଜରାଙ୍କ ପିଲାମାନଙ୍କର ଦାଇତ୍ୱ କେବଳ ସେ ବହନ କରିଥିଲେ ତାହା ନୁହେଁ କଲିକତାରେ ବାସକରୁଥିବା ଓଡ଼ିଆଙ୍କ ପାଇଁ ନଶ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏପରିକି ପୁରୀ ଜଗନ୍ନାଥ ମନ୍ଦିର ଭାର ଇଂରେଜ ସରକାର ନେବାକୁ ଉଦ୍ୟମ କରୁଥିବାବେଳେ ତାହା ସେ କରାଇ ଦେଇ ନ ଥିଲେ । ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଶାର ଅଗଣିତ ଭାଇ ଭଉଣୀଙ୍କୁ ଏହି ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇ ମଧୁସୂଦ ଲେଖିଥିଲେ
ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ,
କୋଟିପ୍ରାଣ ବିନ୍ଧୁ ଧରେ ।
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ,
ଡେଇଁପଡି ସିନ୍ଧୁ ନିରେ ।।
କଟକରେ ତାରକସି କାମର ଉନ୍ନତି ମଧୁସୂଦନଙ୍କ ପ୍ରଚେଷ୍ଟାର ଫଳ । ଉତ୍କଳ ଟାନେରୀ ଜୋତା କାରଖାନା ପାଇଁ ସେ କ୍ଷତିଗ୍ରସ୍ତ ହୋଇଥିଲେ ସତ, ହେଲେ ଅର୍ଥାଭାବ ଦୃଷ୍ଟିରୁ ସେ ନିଜର ଆତ୍ମ ସମ୍ମାନ ହରାଇ ନଥିଲେ । ଏଥିପାଇଁ ସେ ସଦାସର୍ବଦା କହୁଥିଲେ,
“ଆଲୋ ସଖି,ଆପଣା ମହତ ଆପେ ରଖି”
୧୯୪୩ ମସିହା ଫେବୃଆରୀ ମାସ ୪ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । କଟକ ମହାନଦୀ ତଟବର୍ତ୍ତୀ ଗୋରାକବର ହତା ମଧ୍ୟରେ ତାଙ୍କର ନଶ୍ୱର ଶରୀରକୁ କବର ଦିଆଗଲା । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିବା କାରଣରୁ ତାଙ୍କୁ କବର ଦିଆଯାଇଥିଲା ।
ଆଜି ଜନ୍ମମାଟି ସତ୍ୟଭାମାପୁରରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ରାଜନୈତିକ ନେତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଜନ୍ମ ପୀଠରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଭାସମିତି ହେଉଥିବା ବେଳେ ଆଜି ସନ୍ଧ୍ୟାରେ ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୋଇଥିବା ମ୍ୟୁଜିୟମକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ।
ସାଲେପୁରରୁ ଅଭୟ ଜେନା