ତାତି ଅସହ୍ୟ, ୩୦ ପରେ ପୁଣି ଖୋଲିବ କି ବିଦ୍ୟାଳୟ ?

ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ହିଟ୍ ୱେଭ କାରଣରୁ ଘରୁ ବାହାରିବା ଅସମ୍ଭାଳ ହୋଇଯାଉଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲବନ୍ଦ ନିଷ୍ପତ୍ତି ନେଇଥିଲେ ସରକାର । ତେବେ ସ୍କୁଲ ଛୁଟି ବଢ଼ିବ କି ନାହିଁ, ସେ ନେଇ ଆସନ୍ତା ୧ କିମ୍ବା ୨ ତାରିଖ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲାଯିବ ନା ନାହିଁ, ତାହା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ।
ଅପରପକ୍ଷେ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ଏବେ ତାତିରୁ ନିସ୍ତାର ମିଳିବା ପରି ଲାଗୁ ନାହିଁ । ସୂଚନାଯୋଗ୍ୟ, ପ୍ରତିବର୍ଷ ଦେଢ ମାସରୁ ଉର୍ଦ୍ଧ୍ବ ଦିନ ଧରି ଖରାଛୁଟି ହେଉଥିବାବେଳେ ଏଥର ଏହାକୁ ୧୦ଦିନରେ ସୀମିତ ରଖିଛନ୍ତି ସରକାର । ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ମାତ୍ର ପ୍ରବଳ ତାତିରେ ପିଲା ସ୍କୁଲ ଯିବା ଅସମ୍ଭବ ହୋଇ ପଡ଼ୁଥିବାରୁ ଏହାକୁ ବିରୋଧ କରିଥିଲେ ଅଭିଭାବକ ଓ ଶିକ୍ଷାବିତ । ପରେ ରାଜ୍ୟ ସରକାର ଗତ ୨୬ରୁ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ପୁଣି କେବେ ଏହା ଖୋଲୁଛି ଏବଂ ଖରାଛୁଟି କେବେଠୁ ଲାଗୁ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।