କେଉଁଠି ରହିଲା ଭୁଲ୍ ? ଶିକ୍ଷା ଅଧିକାରୀଙ୍କୁ ମାଡ ମାରିଲେ ଶିକ୍ଷୟତ୍ରୀ ଓ ତାଙ୍କ ସ୍ବାମୀ…

ଜିଲ୍ଲାର ଜଣେ ଶିକ୍ଷା ଅଧିକାରୀଙ୍କ ଉପରକୁ କାହିଁକି ହାତ ଉଠାଇଲେ ଦମ୍ପତି ତାକୁ ନେଇ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା । ଶୁଣିବାକୁ ମିଳିଛି ଯେ ଦୀର୍ଘ ଦିନ ଧରି ଶାନ୍ତିଲତା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବିନା କରାଣରେ ଏବଂ ବିନା ନୋଟିସରେ ତାଙ୍କର ଦରମା କାହିଁକି ବନ୍ଦ କରାଯାଇଛି ବୋଲି ସେ ଧାରଣା ଦେଇଥିବାବେଳେ ଘଟଣାକୁ ବିତିଲାଣି ଦୀର୍ଘ ସାଢ଼େ ୪ ମାସ । ଏଠି ପ୍ରଶ୍ନ ଉଠୁଛି ଯେ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଶିକ୍ଷୟତ୍ରୀ ଧାରଣା ଦେଇଥିବା ଘଟଣା ଶିକ୍ଷା ଅଧିକାରୀ ଜାଣିଥିଲେ ସୁଦ୍ଧା ଆଜି ଯାଏଁ ଏ ନେଇ କାହିଁକି ପଦକ୍ଷେପ ଗ୍ରହଣ କରିନଥିଲେ । ନା ଜାଣିଶୁଣି ଶିକ୍ଷୟତ୍ରୀଙ୍କୁ ହଇରାଣ କରିବା ପାଇଁ କରାଯାଉଥିଲା ପ୍ରୟାସ । ତେବେ ଶିକ୍ଷୟତ୍ରୀ ଶାନ୍ତିଲତା ଏବଂ ତାଙ୍କ ସ୍ବାମୀ କାର୍ଯ୍ୟାଳୟ ଭିତରେ ଜିଲ୍ଲାର ଜଣେ ଶିକ୍ଷା ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ଆମେ ଠିକ୍ ବୋଲି ଦର୍ଶାଉନାହୁଁ, ଏବଂ ଆଇନକୁ ହାତକୁ ନେବା ଠିକ ବୋଲି ଆମେ ପ୍ରକାଶ ମଧ୍ୟ କରୁନାହୁଁ । ହେଲେ ଜଣେ ଶିକ୍ଷୟତ୍ରୀ ନିଜର ନାର୍ଯ୍ୟ ହକ୍ ପାଇଁ ଦୀର୍ଘ ସାଢ଼େ ୪ ମାସ ହେବ ଧାରଣାରେ ବସିବା ମଧ୍ୟ କେତେ ଯୁକ୍ତିଯୁକ୍ତ । ଏତେ ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ୟା ସମାଧାନ ଦିଗରେ କାହିଁକି, କିଏ ପଦକ୍ଷେପ ଗ୍ରହଣ କଲେନି, ତାକୁ ନେଇ ଏବେ ଚାରିଆଡେ ପ୍ରଶ୍ନ । ତେବେ ଏଭଳି ଘଟଣା ପଛରେ ପ୍ରକୃତ ଦାୟୀ କିଏ ଏହା ତ ସମୟ ନିର୍ଣ୍ଣୟ କରିବ ।
ଗତ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ କରିଥିଲେ ଏକ ଶିକ୍ଷକ ଦମ୍ପତି । ଘଟଣା ସ୍ଥଳରୁ ତୁରନ୍ତ ଆହତ ଡିଇଓଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତିଙ୍କୁ ଟାଉନ୍ ଥାନା ପୋଲିସ୍ ନିଜ ହେପାଜତକୁ ନେଇଥିଲେ । ଡିଇଓ ଶ୍ରୀମତୀ ସେନାପତିଙ୍କୁ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତି ହେଲେ ସୁମନ ସାହୁ ଓ ଶାନ୍ତିଲତା ସାହୁ । ଶାନ୍ତିଲତାଙ୍କର କହିବା ଅନୁଯାୟୀ ତାଙ୍କର ୪ ବର୍ଷ ୮ ମାସର ଦରମା ବନ୍ଦ କରି ଦିଆଯାଇଛି । ବିନା କାରଣରେ ତାଙ୍କ ଦରମା ବନ୍ଦ କରାଯାଇଛି । ନା ତାଙ୍କ ନାଁରେ କିଛି କେସ୍ କରାଯାଇଛି ନା ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ସେହିଭଳି ତାଙ୍କୁ କୌଣସି ନୋଟିସ୍ ମଧ୍ୟ ଜାରି କରାଯାଇ ନାହିଁ । ଦରମା ପାଇଁ ସେ ସାଢ଼େ ୪ ମାସ ହେଲା ଧାରଣାରେ ବସିଥିଲେ । କିନ୍ତୁ ତାଙ୍କ ଦରମା ପ୍ରଦାନ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିଲା, ଯାହାକୁ ନେଇ ସେ ମାନସିକସ୍ତରରେ ଭାଙ୍ଗିପଡିଥିଲେ ।
ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ସବୁଦିନ ଭଳି ଗତ ମଙ୍ଗଳବାର ଶାନ୍ତିଲତା ସାହୁ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ତାଙ୍କ ସହିତ ତାଙ୍କ ସ୍ୱାମୀ ଥିଲେ । ଅପରାହ୍ଣ ପ୍ରାୟ ଅଢ଼େଇଟା ବେଳେ ଏକ ବୈଠକ ସାରି ଡିଇଓ ଖାଇବା ପାଇଁ ଯାଉଥିବା ବେଳେ ଶାନ୍ତିଲତା ତାଙ୍କ ସାମ୍ନାକୁ ଆସି ଦରମା ବାବଦରେ କିଛି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ଡିଇଓଙ୍କ ମୁହଁକୁ ମୁଥ ମାରିଥିଲେ । ଶାନ୍ତିଲତା ମଧ୍ୟ ଚପଲ ଖୋଲି ଡିଇଓଙ୍କୁ ବାଡ଼େଇବାକୁ ପ୍ରୟାସ କରିଥିଲେ । ତେବେ ସେହି ସମୟରେ ଅଫିସ୍ରେ ଜଣେ କର୍ମଚାରୀ ତାଙ୍କୁ ଧରି ପକାଇଥିଲେ । ତେବେ ଘଟଣାରେ ଡିଇଓଙ୍କ ପାଟି ଓ ନାକରୁ ରକ୍ତ ବାହାରିଥିଲା । ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।