ତତଲା କଢେଇରେ ଛଟପଟ ରାଜ୍ୟବାସୀ

ତତଲା କଢେଇରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ। ଆଗାମୀ ୨୮ ତାରିଖ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଗତ ରବିବାର ଭୁବନେଶ୍ୱରରେ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରିଥିବାବେଳେ, ଚଳିତବର୍ଷର ଏହା ହେଉଛି ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁସାରେ ୨୦୧୬ ମସିହା ଏପ୍ରିଲ୍ ୧୧ ତାରିଖରେ ଭୁବନେଶ୍ୱରରେ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଠିକ୍ ସେହିପରି ୨୦୧୯ ମସିହା ଏପ୍ରିଲ୍ ୧୬ ତାରିଖରେ ୪୩.୭ ଓ ୨୦୨୧ ମସିହା ଏପ୍ରିଲ୍ ୨୫ ତାରିଖରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଉ ୩ ଦିନ ଜାରି ରହିବ ଏମିତି ସ୍ଥିତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ସୋନପୁର, ବୌଦ୍ଧ, ବଲାଙ୍ଗୀର,ଖୋର୍ଦ୍ଧା ଏବଂ ନୟାଗଡ଼ ଭଳି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାତି ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି ।