ଦାବି ପୂରଣ ନ ହେଲେ ଅନଶନରେ ବସିବେ ସାମ୍ବାଦିକ, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ

ବ୍ଲକ ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବେଗୁନିଆପଡା ସାମ୍ବାଦିକଙ୍କ ପକ୍ଷରୁ ବ୍ଲକ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶନୀଙ୍କୁ ଏବିଡ଼ିଓ ନିରଞ୍ଜନ ବେହେରାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ରରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ବ୍ଲକ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ସୂଚନା ମିଳୁନଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହା ସହ ବ୍ଲକ ପରିସରରେ ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇ, କାର୍ଯ୍ୟାଳୟ ପରିସରରେ ଥିବା ସିସିଟିଭିକୁ ସାର୍ବଜନୀନ କରିବା ପାଇଁ ସାମ୍ବାଦିକଙ୍କ ତରଫରୁ ଦାବି କରାଯାଇଛି । ଫଳରେ ସାମ୍ବାଦିକଙ୍କ ସହ ସାଧାରଣ ଜନତାଙ୍କୁ ସୁରକ୍ଷା ମିଳିପାରିବ ବୋଲି ସେଥିରେ ଉଲ୍ଲେଖ ରହିଛି । ଯଦି ଆଗାମୀ ଦିନରେ ଏହି ସବୁ ଦାବି ପ୍ରତି ଦୃଷ୍ଟି ଦିଆ ନ ଯାଏ ତେବେ ବ୍ଲକ ସମ୍ମୁଖରେ ସାମ୍ୱାଦିକମାନେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ବେଗୁନିଆପଡ଼ା ବ୍ଳକ ପରିସରରେ ସମିତି ବୈଠକରେ କୌଣସି କାରଣକୁ ନେଇ ଖଣ୍ଡିଆନଈ ପଞ୍ଚାୟତର ସରପଞ୍ଚ ପଙ୍କଜ ସେଠୀ ଓ ତାଙ୍କର ସହଯୋଗୀ ଚରଣ ନାୟକ ମିଳିତ ଭାବେ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସାମ୍ବାଦିକ ଗୁରୁତର ଆହାତ ହୋଇଥିଲେ । ପରେ ଏ ନେଇ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଇଥିଲେ ସାମ୍ବାଦିକ ସୁଶାନ୍ତ । ଘଟଣାକୁ ନେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଫାଣ୍ଡିରେ ପହଞ୍ଚି ତଦନ୍ତ କରିବା ସହ ସାମ୍ବାଦିକ ଏବଂ ତାଙ୍କ ସହଯୋଗୀଙ୍କ ବୟାନ ରେକର୍ଡ କରିଥିଲେ । ଅପରପକ୍ଷେ ଜଣେ ଜନପ୍ରତିନିଧିଙ୍କ ଏଭଳି ଆକ୍ରମଣକୁ ସବୁ ମହଲରେ ଦୃଢ ନିନ୍ଦା କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ବାଦିକମାନେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ