କୁନି ପରିର ବଡ କାରନାମା, ଏମିତି ସଂସ୍କାର ସମସ୍ତଙ୍କୁ ମିଳୁ !

କୁହାଯାଏ ଶିଶୁଟିଏ ହେଉଛି ଏକ କଞ୍ଚାମାଟି ସଦୃଶ । ଆମେ ତାଙ୍କୁ ଯେମିତି ରୂପେ ଗଢିବା ସେ ସେହିଭଳି ସମାଜରେ ନିଜକୁ ଗଢି ତୋଳିବେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶିଶୁଟି ପିଲାଟିବେଳୁ କେଉଁ ପ୍ରକାର ସଂସ୍କାର ପାଇବ ତାହା ତାର ମାତାପିତା ଉପରେ ନିର୍ଭର ।
ଯେଉଁ ଦେଶର ଜ୍ଞାନକୌଶଳ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ । ଠିକ ସେହିଭଳି ଶିଶୁଙ୍କୁ ପିଲାଟିବେଳୁ ଆମେ ଯେମିତି ଗଢିତୋଳିବା ଆଗାମୀ ଭଭିଷ୍ୟତରେ ତାଙ୍କର ପ୍ରତ୍ୟେକ କର୍ମରେ ସଂସ୍କାରର ଛୁଙ୍କ ନିଶ୍ଚିତ ରହିବ ।

ଆପଣମାନେ ଦେଖିଥିବେ ଆଜିର ଏହି ଆଧୁନିକ ଯୁଗରେ ପ୍ରତ୍ୟେକ ମଣିଷ ନିଜର ଜନ୍ମଦିନ ହେଉ ଅବା କୌଣସି ବିଶିଷ୍ଟ ଦିନ ତାକୁ ସ୍ମରଣୀୟ କରିବା ଲାଗି ଭିନ୍ନ ଭିନ୍ନ ଶୈଳୀ ଆପଣାଇଥାଆନ୍ତି । କେଉଁଠି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବଡ ବଡ ରେସ୍ତୋରେଁରେ ପାର୍ଟି କରୁଛନ୍ତି ତ କେଉଁଠି ବିଭିନ୍ନ ପନ୍ଥା ଅବଲମ୍ବନ କରି ନିଜର ବିଶେଷ ଦିନକୁ ଅବିସ୍ମରଣୀୟ କରୁଛନ୍ତି ।

ହେଲେ ଏ ଦୃଶ୍ୟ ଟିକେ ନିଆରା । ନିଜର ସଭ୍ୟତା, ସଂସ୍କୃତିକୁ ବଞ୍ଚାଇ ରଖିବା ସହ ନିଜ ଝିଅର ଉନ୍ନତ ଭବିଷ୍ୟତ କାମନା କରି ତାଙ୍କ ମାତାପିତା ଝିଅର ଜନ୍ମଦିନକୁ ଭିନ୍ନ ଶୈଳୀରେ ପାଳନ କରିଛନ୍ତି । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ପତଳା ଗ୍ରାମର । ଏଗି ଗ୍ରାମର ବାସିନ୍ଦା ହେଉଛନ୍ତି ଗୋପାଳକୃଷ୍ଣ ବିଶ୍ୱାଳ । ଜଣେ ବିଶିଷ୍ଟ କଳାକାର ଏବଂ ସମାଜସେବୀ ଭାବେ ଗୋପାଳ ଉକ୍ତ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଆଉ ତାଙ୍କର ସମାଜସେବା ମନୋଭାବକୁ ଗୁରୁତ୍ବ ଦେଇ ସେ ଏହି ସଂସ୍କାର ତାଙ୍କ ଝିଅ ସୃଷ୍ଟିଙ୍କୁ ମଧ୍ୟ ଦେଇଛନ୍ତି । ଜନ୍ମଦିନରେ ବଡ ବଡ ପାର୍ଟି ନୁହେଁ ବରଂ ଗୁରୁଜନଙ୍କ ସେବା କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ପରାମର୍ଶ ଦେଇଥିଲେ ଗୋପାଳ । ଆଉ ଏହାକୁ ସାଦରେ ଗ୍ରହଣ କରିଥିଲେ ତାଙ୍କ ପତ୍ନୀ ଏବଂ ପରିବାରବର୍ଗ ।

ଝିଅ ସୃଷ୍ଟିକୁ ଏବେ ମାତ୍ର ପାଞ୍ଚ ବର୍ଷ ବୟସ । ହେଲେ ଏବେଠାରୁ ହିଁ ସେ ଗୁରୁଜନଙ୍କ ପ୍ରତି ସମ୍ମାନ ଏବଂ ଆମ ସଂସ୍କାରକୁ ଗ୍ରହଣ କଲେ ଆଗକୁ ଜଣେ ଭଲ ମଣିଷ ହେବ ବୋଲି କହିଛନ୍ତି ସୃଷ୍ଟିଙ୍କ ମାତାପିତା । ଅପରପକ୍ଷେ ସୃଷ୍ଟିଙ୍କ ପଞ୍ଚମ ଜନ୍ମ ବାର୍ଷିକୀ ଅବସରରେ ସୃଷ୍ଟିଙ୍କଦ୍ବାରା ଗାଁର ଅସହାୟ ଗରିବ ଲୋକଙ୍କୁ ବସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଇବା ସହ ଗୁରୁ-ଗୁରୁଜନଙ୍କର ପୂଜାର୍ଚ୍ଚନା କରାଇଥିଲେ l ତେବେ ଗାଁରେ ଏପରି ନିଆରା କାର୍ଯ୍ୟକ୍ରମ ଦେଖି ଅଂଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବଡଲୋକ ହେବାର ସ୍ବପ୍ନ ତ ସମସ୍ତେ ଦେଖିଥାଆନ୍ତି । ହେଲେ ସଂସ୍କାରକୁ ଗ୍ରହଣ କରି ଲୋକଙ୍କ ହୃଦୟରେ ଘର କରିବାଠୁ ବଡ ଆଉ କ’ଣ ବା ହୋଇପାରେ ।
ଓଡାପଡାରୁ ଗୋପବନ୍ଧୁ ବାରିକ