ପୁଣି ସାଲେପୁର ବିଡ଼ିଓ ରାଜୀବ ଦାଶଙ୍କ ନାମରେ ସଙ୍ଗୀନ ଅଭିଯୋଗ

ମୋର କିଛି ଭଲ ମନ୍ଦ ହେଲେ ସାଲେପୁର ବିଡ଼ିଓ ରାଜୀବ ଦାଶ ହିଁ ଦାୟୀ । ସାଲେପୁର ବିଡିଓଙ୍କ ବିରୋଧରେ ପୁଣି ଆସିଛି ସଂଗୀନ ଅଭିଯୋଗ । ଏବେ ଘଟଣା ଯାଇ ପହଞ୍ଚିଛି ଥାନାରେ । ଆଉ ଥାନାରେ ବିଡିଓଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସାଲେପୁର ରୋଧପୁର ଗାଁର ସୁଶାନ୍ତ ଦାଶ । ଅଭିଯୋଗ ଅନୁଯାୟୀ ସୁଶାନ୍ତ ଦୀର୍ଘ ବର୍ଷ ହେବ ସାଲେପୁର ବ୍ଲକ କାର୍ଯ୍ୟାଳୟରେ ନିଜର ଏକ ବୋଲେରୋ ଗାଡି ମାସିକ ଭଡା ସୂତ୍ରରେ ଲଗାଇଛନ୍ତି, ଯାହାକୁ ବିଡିଓ ରାଜୀବ ଦାଶ ବ୍ଲକ ଅଞ୍ଚଳର ବିଭିନ୍ନ ସରକରୀ କାର୍ଯ୍ୟକ୍ରମରେ ବ୍ୟବହାର କରନ୍ତି ।

ଗତ ଫେବୃଆରୀ ମାସରେ କୌଣସି ଏକ କାର୍ଯ୍ୟ ନିମନ୍ତେ ବିଡିଓ ମହୋଦୟ ଭୋର 4ଟା ସମୟରେ ବାରମ୍ବାର ସୁଶାନ୍ତଙ୍କୁ ଫୋନ କରିଥିଲେ । ଯାହାର ଉତ୍ତର ସୁଶାନ୍ତ କୌଣସି କାରଣ ବଶତଋ ଦେବାକୁ ଅକ୍ଷମ ଥିଲେ । ଏହି ରାଗ ରଖି ବିଡିଓ ସୁଶାନ୍ତଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ବହୁ ଅଶାଳୀନ ଭାଷାରେ ଗାଳୁଗୁଲଜ କରିବା ସହ ତାଙ୍କୁ ଅନେକ ଅପମାନ ଦେଇ କାର୍ଯ୍ୟାଳୟରୁ ବାହାର କରି ଦେଇଥିଲେ । ଏପରିକି ଉଦ୍ଦେଶ୍ୟମୂଳକ ଭାବେ ଆକ୍ରୋଶ ରଖି ଗାଡିର ମାସିକ ବିଲ୍ ବନ୍ଦ କରିବା, ବାରମ୍ବାର ଗାଳି ଗୁଲଜ କରିବା ସହ ତାଙ୍କୁ ନୂନ୍ୟତମ ଅନୁଭବ କରାଇଥିଲେ । ଯେଉଁଥିପାଇଁ ସୁଶାନ୍ତ ଗଭୀର ମର୍ମାହତ ହେବା ସହ ମାନିସିକ ଭାରସାମ୍ୟ ହରାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୃଦଘାତର ଶିକାର ହୋଇ ଅଚେତ ହୋଇଯାଇଥିଲେ ।
ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । ଏ ନେଇ ସେ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ସେ ଜଣେ କର୍ତ୍ତବ୍ୟ ନିଷ୍ଠ ମଣିଷ ଥିବାବେଳେ ଅନେକ ସମୟରେ ସେ ନିଜେ ମଧ୍ୟ ଡ୍ରାଇଭରଙ୍କ ଅନୁପସ୍ଥିତିରେ ଗାଡି ଚଳାଇ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିବା କହିଛନ୍ତି । ହେଲେ ବିଡିଓଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ବ୍ୟଥିତ କରିବା ସହ ତାଙ୍କ ଅତ୍ମସ୍ବାଭିମାନକୁ ଭଙ୍ଗ କରିଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ନ୍ୟାୟ ଆଶାରେ ସେ ପୋଲିସ ପ୍ରଶାସନର ଦ୍ବାରସ୍ଥ ହୋଇଥିବାବେଳେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
ସାଲେପୁର ବିଡିଓ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ତାଙ୍କ ଅଶାଳୀନ ବ୍ୟବହାର ପାଇଁ ଅଡୁଆରେ ଥିବାବେଳେ ପ୍ରଶାସନ ପକ୍ଷରୁ ଏଭଳି କାର୍ମଚାରୀଙ୍କ ପାଇଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ତାହା ଦେଖିବାକୁ ବାକି ରହିଲା ।
ସାଲେପୁରରୁ ଅଭୟ ଜେନା