ଆସନ୍ତୁ ଜାଣିବା ତାଳଚେର ସ୍ଥିତ ଗୋପାଳପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ସମ୍ପର୍କରେ କିଛି ରୋଚକ ତଥ୍ୟ…

ପୁରାଣବର୍ଣ୍ଣିତ ଭାରତର ୫୧ଟି ଶକ୍ତି ପୀଠ ମଧ୍ୟରୁ ଓଡିଶାର ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଗୋପାଳ ପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ । କଟକ ସମ୍ବଲପୁର ଜାତୀୟ ରାଜପଥ ୫୫ ନମ୍ବରଠାରୁ ଏହା ମାତ୍ର ୨୨ କିଲୋମିଟର ଦୂର ଏବଂ ପୂର୍ବତଟ ରେଳପଥ ତାଳଚେର ରେଲୱେ ଷ୍ଟେସନଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ । ପୁରାଣ କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରେ ଅଗ୍ନିରୁପି ପରମ ବୈଷ୍ଣବି ମା ନାରାୟଣୀ ସୁମ୍ଭ ନିଶୁମ୍ଭଙ୍କୁ ବଧ କରି ସୁବଳ ଓ ଦୁନ୍ଦଭିକୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟ ମାତୃକା ମଧ୍ୟ ଯାଇଥିଲେ । ସେହି ଅଷ୍ଟମହାବିଦ୍ୟାଙ୍କ ମଧ୍ୟରୁ ମା ହିଙ୍ଗୁଳା ଅନ୍ୟତମ ।
ଏବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ଏଠାରେ କେବେଠୁ ପ୍ରତିଷ୍ଠା ହେଲା ଏବଂ ଏହାର ପୁରାଣ କିମ୍ବଦନ୍ତୀ କଣ କହେ । ତାଳଚେରର ଏହି ପ୍ରସିଦ୍ଧ ହିଙ୍ଗୁଳାଙ୍କ ପୀଠ ବିଷୟରେ ଜନଶ୍ରୁତିରୁ ଯାହା ଜଣାଯାଏ ଯେ, ଏଠାରେ ପ୍ରବାହିତ ସିଙ୍ଗଡ଼ା ନଦୀରେ ଅକସ୍ମାତ ଜ୍ୱାଳାମୁଖି ଅଗ୍ନିଙ୍କର ଆବ୍ରିଭାବ ଘଟିଲେ ହିଙ୍ଗୁଳାଙ୍କ ଅଧିଷ୍ଠାନ କରାଯାଉଥିଲା ଏବଂ କାଳକ୍ରମେ ଚୈତ୍ର ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ଅଗ୍ନିଜ୍ୱାଳା ରୂପେ ହିଙ୍ଗୁଳାଙ୍କ ଯାତ୍ରା ଆରମ୍ଭ କରାଗଲା । କ୍ରମେ ଏହା ହିଙ୍ଗୁଳା ପୀଠକୁ ରୂପାନ୍ତରିତ ହୋଇଥିଲା । ମାଙ୍କ ପୀଠ ଯେତିକି ପ୍ରାଚୀନ ସେତିକି ରହସ୍ୟମୟ । ଏମିତି କି କିମ୍ବଦନ୍ତୀ କୁହେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ସହ ମା ହିଙ୍ଗୁଳାଙ୍କର ରହିଛି ନିବିଡ଼ ସମ୍ପର୍କ ।
ରାଜ୍ୟର ଇଷ୍ଟଦେବୀ ରୂପରେ ମା ହିଙ୍ଗୁଳା ନନ୍ଦ ରାଜା ବିଦର୍ଗରେ ପୂଜା ପାଉଥିଲେ । ମାଙ୍କ କୃପାରୁ ରାଜା ନନ୍ଦ ସଦାସର୍ବଦା ଅମୃତମଣ ଭୋଗ କରୁଥିଲେ । ମା ହିଙ୍ଗୁଳାଙ୍କ କୃପାରୁ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା । ସେହି ସମୟରେ ପୁରୀର ମହାପ୍ରସାଦ କିପରି ଅଧିକରୁ ଅଧିକ ସୁସ୍ୱାଦୁ ହେବ ସେଥିପାଇଁ ଗଜପତି ମହାରାଜା ବାଟ ଖୋଜୁଥିଲେ । ମା ରାଜାଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ମା ହିଙ୍ଗୁଳାଙ୍କ ଶରଣାପର୍ଣ୍ଣ ହେଲେ । ଗଜପତିଙ୍କ ପୂଜା ଓ ଭକ୍ତିରେ ମା ପ୍ରସନ୍ନ ହୋଇ ଶ୍ରୀମନ୍ଦିରର ପାକଶାଳକୁ ବିଜେ କଲେ । ତାଙ୍କର ମହିମାରୁ ଶ୍ରୀମନ୍ଦିରର ମହାପ୍ରସାଦ ଅତ୍ୟନ୍ତ ସୁସ୍ୱାଦ ହେଲା । ମା ହିଙ୍ଗୁଳା ଶ୍ରୀମନ୍ଦିର ଯିବା ବାଟରେ ତାଳଚେରର ଗୋପାଳପ୍ରସାଦଠାରେ ଅବସ୍ଥାପିତ ହେଲେ ଏବଂ ଏହା ହିଙ୍ଗୁଳା ପୀଠ ଭାବରେ ଖ୍ୟାତ ହେଲା ।
ଅନ୍ୟ ଏକ ପୌରାଣିକ କଥା ଅନୁସାରେ ମୂଳ ପୀଠର ଏହି ମହାଶକ୍ତିମୟୀ ହିଙ୍ଗୁଳାଙ୍କ ସମ୍ପର୍କରେ ତନ୍ତ୍ର ଚୂଡ଼ାମଣି ଅନ୍ତର୍ଗତ ପୀଠ ଅନୁସାରେ ହିଙ୍ଗରାଜ ନାମକ ସ୍ଥାନରେ ଭଗବାନ ନାରାୟଣଙ୍କ ସୁଦର୍ଶନ ଚକ୍ର ଦ୍ୱାରା ଦେବି ସତୀଙ୍କର ବ୍ରହ୍ମରୁଦ୍ର ବା ମସ୍ତକର କପାଳ ଅଂଶ ପଡିଥିଲା । ମା ହିଙ୍ଗୁଳାଙ୍କ ମନ୍ଦିର ହିଙ୍ଗରାଜ ମନ୍ଦିର ରୂପେ ବର୍ତମାନ ପାକିସ୍ତାନ ଅନ୍ତର୍ଗତ ସିନ୍ଧୁ ନଦୀର ତ୍ରିକୋଣ ଭୂମିଠାରୁ ୧୨୦ କିଲୋମିଟର ଦୂର ମକ୍ରାନ ପର୍ବତ ଶ୍ରେଣୀର ଗିରି ଶୃଙ୍ଗରେ ଅବସ୍ଥିତ ।
ମାତା ସତୀଙ୍କର ଯେଉଁ ଭାଗରେ ସିନ୍ଦୁର ଲଗାନ୍ତି ସେହି ଭାଗଟି ତାଳଚେର ଅଂଚଳରେ ପଡିଥିଲା । ସିନ୍ଦୁର ବର୍ଣ୍ଣ ହିଙ୍ଗଳ ରଙ୍ଗର ହୋଇ ଥିବାରୁ ମା ସେଠାରେ ହିଙ୍ଗୁଳା ନାମରେ ପୂଜା ପାଇ ଆସୁଛନ୍ତି ।
ଗୋପାଳପ୍ରସାଦ ବା ଗୋପାଳଗଡ଼ର ହିଙ୍ଗୁଳାଙ୍କ ପୀଠ ସହ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ବିଷୟରେ ପୁରାଣ ବର୍ଣ୍ଣିତ ହୋଇଛି । ବିଦର୍ଗ ନରପତି ନଳଙ୍କ ସହ ମା ହିଙ୍ଗୁଳା ଶ୍ରୀକ୍ଷେତ୍ର ଆଗମନ ସମୟରେ ଗୋପାଳପ୍ରସାଦଠାରେ ଦେବୀଙ୍କର ଶକ୍ତି ପୀଠ ଏବଂ ଶ୍ରୀକ୍ଷେତ୍ରରେ କର୍ମ କ୍ଷେତ୍ର ହେବ ବୋଲି ଦେବି ନଳ ରାଜଙ୍କୁ ଜଣାଇଥିଲେ । ଉକ୍ତ ପୌରାଣିକ ଉକ୍ତିରୁ ଜଣାପଡେ ଯେ, ପୂର୍ବରୁ ଏଠାରେ ହିଙ୍ଗୁଳାଙ୍କର କୌଣସି ଉପାସନା ହେଉନଥିଲା । ଦେବୀ ଏଠାରେ କେବେଠାରୁ ପୂଜିତା କେବେଠାରୁ ହିଙ୍ଗୁଳା ଉପାସନା ଆରମ୍ଭ ହେଲା, ମା ରୂପରେ ଧର୍ମ ବିଶ୍ୱାସ ନିଷ୍ଠା ଓ ଲୋକ ସଂସ୍କୃତି ମଧ୍ୟରେ ଆବଦ୍ଧ ।
ଦେବୀ ହିଙ୍ଗୁଳାଙ୍କ ଉତ୍ପତ୍ତି ଓ ଦେବୀଙ୍କ ଆଗମନରୁ ସୂଚନା ମିଳେ ଯେ କେହି ନାଁ କେହି ଉନ୍ନତ ସଭ୍ୟତାର ଅଗ୍ନିପୂଜକ ଏଠାରେ ଅଗ୍ନିପୂଜା ବା ଦେବୀ ହିଙ୍ଗୁଳାଙ୍କୁ ସ୍ଥାପନ କରିଥିଲେ । ଦେବୀ ହିଙ୍ଗୁଳାଙ୍କ ଉଭା ସ୍ଥଳୀରୁ କୋଇଲାର ବେଦି ଉପରେ ଅଗ୍ନି ସ୍ୱରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ ।
ଦେବୀ ହିଙ୍ଗୁଳା ବା ହିଙ୍ଗୁଳାଇ ‘ହିଙ୍ଗୁଳ’ ଶବ୍ଦରୁ ଆନିତ । ଦେବୀଙ୍କର ୫୧ ଶକ୍ତି ପୀଠ ମଧ୍ୟରୁ ହିଙ୍ଗରାଜ ଜ୍ୱକ୍ଷଳମୁଖୀ ଓ ତାଳଚେର ଗୋପାଳପ୍ରସାଦ ଅଗ୍ନିପୀଠ ଏହି ଦୁଇଟି ପୀଠରେ ମା ଅଗ୍ନି ସ୍ୱରୂପିଣୀ । ଏଠାରେ ଦେବୀଙ୍କର ପୁରାତନ ଯୁଗରୁ ଉପାସନା ହୋଇଆସୁଛି । ବେଲୁଚିସ୍ଥାନର ହିଙ୍ଗରାଜ ପୀଠ ଓ ତାଳଚେର ହିଙ୍ଗୁଳା ପୀଠ ମଧ୍ୟରେ ଐତିହାସିକ ସମ୍ପର୍କ ରହିଥିବାର ଲକ୍ଷ୍ୟ କରାଯାଏ ।
କରୋନା କଟକଣା ପାଇଁ ଗତ ଦୁଇବର୍ଷ ହେବ ମାଙ୍କ ପୀଠରେ କୌଣସି ଯାତ୍ରା ହେଉନଥିଲା । ଚଳିତ ବର୍ଷ ଏପ୍ରିଲ ମାସରେ ୯ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ତାହା ଛଡା ମାଙ୍କ ପୀଠରେ ଦଶହରା ଓ ଅନ୍ୟାନ୍ୟ ପର୍ବ ପର୍ବାଣି ରୀତିନୀତି ଅନୁଯାୟୀ ପାଳିତ ହୁଏ ।
ଓଡାପଡାରୁ ଗୋପବନ୍ଧୁ ବାରିକ