ଜମି ପାଇଁ ବଡଭାଇର ପରିବାରକୁ ନଷ୍ଟ କରିଦେଲା ସାନଭାଇ

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା । ଜମିବାଡି ବିବାଦକୁ କେନ୍ଦ୍ରକରି ବଡଭାଇର ପରିବାରକୁ ହତ୍ୟା କଲା ସାନଭାଇ । ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ । ଅଭିଯୁକ୍ତଙ୍କ ନାଁ ଶିବ ସାହୁ ।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି । ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲେ । ଆଉ ଏହି ଭିଡିଓରେ ସେ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ବାରି ହୋଇଛି ଯେ ପାରିବାରିକ କଳହ ଯୋଗୁଁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପାରିପାଶ୍ୱିର୍କ ଅବସ୍ଥାରୁ ରାତିରେ ଶୋଇଥିବା ବେଳେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି ବୋଲି ଜଣାପଡିଛି ।
ଶିବ ସାହୁ କହିଛି ଯେ, ଭାଇ ଓ ମୋ ମଧ୍ୟରେ ତିକ୍ତତା ଥିଲା । ସେ ଓ ତା’ ପରିବାର ମୋତେ ସବୁବେଳେ ହଇରାଣ କରୁଥିଲେ । ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ମୋତେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଏହା ପରେ ମୁଁ ମାନସିକ ଭାରସାମ୍ୟ ହରାଇ ସେମାନଙ୍କୁ ମାରିଦେଲି । ଆଇନ ଯାହା ଦଣ୍ଡ ଦେବ, ତାକୁ ଗ୍ରହଣ କରିବି ।
ମିଳିଥିବା ସୂଚନା ଅନୁଯାୟୀ, ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ । ସେହିପରି ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ଜମିବାଡିକୁ ନେଇ ପାଖାପାଖି ୧୨ରୁ ୧୩ବର୍ଷ ହେବ ତାଙ୍କର ବିବାଦ ଲାଗି ରହିଥିଲା । ପରେ ସାନ ଭାଇ ଅଲଗା ରହିଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଘର ଭିତରେ ରକ୍ତର ଛିଟା ଲାଗିଥିବା ଦେଖିବାକୁ ମିଳିଛି । ହତ୍ୟାରେ ମାରଣାସ୍ତ୍ର ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ୫ଜଣଙ୍କୁ କେମିତି ଏକାବେଳେ ହତ୍ୟା କଲା ସାନଭାଇ । କେହି କେମିତି କିଛି ଜାଣିପାରିଲେ ନାହିଁ । ଖାଲି ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଛି ନା ଏଥିରେ ଆଉ କିଛି କାରଣ ରହିଛି ।
ସାଲେପୁରରୁ ଅଭୟ ଜେନା