ପବିତ୍ର ରାମନବମୀ ପାଇଁ ଚଳଚଞ୍ଚଳ ହେଉଛି ସମସ୍ତ ମନ୍ଦିର

ଆଜି ହେଉଛି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ଜନ୍ମନୀତି ପାଳନ ହେବ । ରାମ ଜନ୍ମଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ । ଗତ ଦୁଇବର୍ଷ ହେବ କରୋନା କଟକଣା ଲାଗି ଭକ୍ତ ଓ ଭଗବାନଙ୍କ ମିଳନରେ ଯେଉଁ ବାଧା ଉପୁଜିଥିଲା ତାହା ଆଜି ସମାପ୍ତ ହୋଇଥିବା ପ୍ରକାଶ କରିଛନ୍ତି ଭକ୍ତ । ପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ରେଳଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ୟୁନିଟ୍-୩ ରାମ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପବିତ୍ର ଶ୍ରୀରାମ ନବମୀ ଅବସରରେ ପୁରୀ ବେଳାଭୂମିରେ ବିରାଟ ବାଲୁକା କଳା ତିଆରି କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ଶ୍ରୀରାମଙ୍କ ବିଶାଳ ପ୍ରତିକୃତି ନିର୍ମାଣ କରିବା ସହ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଚିତ୍ର ମଧ୍ୟ ତିଆର କରିଛନ୍ତି । ବାଲୁକା କଳାରେ ରାମଙ୍କ ପ୍ରତିମୂର୍ତ୍ତି ଗଢି ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।