ଜରାଜୀର୍ଣ୍ଣ ଅବସ୍ଥାରେ ବେଲେଶ୍ୱରୀ ସଂଗୀତ କଳାନିକେତନ, ପୁନଃରୁଦ୍ଧାର କରାଗଲେ ଉପକୃତ ହେବେ ଛାତ୍ରଛାତ୍ରୀ

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ବେଲେଶ୍ୱରୀ ସଂଗୀତ କଳାନିକେତନ । ରାଜ୍ୟ ସରକାର କଳା ସଂସ୍କୃତିର ବିକାଶ ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ଏପରିକି କଳାରୁ ବିରତୀ ନେଇଥିବା କଳାକାରମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିବା ସହିତ ବହୁ ସୁବିଧାସୁଯୋଗ ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନାର ସଫଳ ରୂପାୟନ କେତେଦୂର ସମ୍ଭବ ହୋଇପାରୁଛି ତାହା ଏହି ଚିତ୍ର ବୟାନ କରୁଛି । ଏହା ହେଉଛି ନିଶ୍ଚିନ୍ତକୋଇଲି ଅଂଚଳର ସର୍ବପୁରାତନ ସଂଗୀତ ଅନୁଷ୍ଠାନ ବେଲେଶ୍ୱରୀ ସଂଗୀତ କଳା ନିକେତନ । ଯାହାକି ଏବେ ଭୂତକୋଠିରେ ପରିଣତ ହୋଇଛି । ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବାର ୫୦ ବର୍ଷ ବିତିଯାଇଥିଲେ ମଧ୍ୟ ବିଗତ ୨୫ ବର୍ଷ ହେବ ଏହା ବନ୍ଦ ହୋଇ ରହିଛି । ଯେଉଁଥି ପାଇଁ କଳାକୁ ଭଲ ପାଉଥିବା ବହୁ ଗରୀବ ସଂଗୀତ, ନୃତ୍ୟ କଳାକାର ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଯଦି ଅନୁଷ୍ଠାନଟି ଏବେ ବି ଗତିଶୀଳ ଥାଆନ୍ତା ତେବେ ଚଳିତବର୍ଷ ଏହା ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥାଆନ୍ତା । ହେଲେ ଅନୁଷ୍ଠାନର ଏଭଳି ଅବସ୍ଥା ହୋଇଥିବାରୁ ଏ ଅଂଚଳର ବହୁ ବୁଦ୍ଧିଜୀବୀ ଓ କଳାକାରମାନେ ଏହାର ବାଖ୍ୟା ବଖାଣି ମର୍ମାହତ ହୋଇଛନ୍ତି । ଦୀର୍ଘ ବର୍ଷ ହେବ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଓ ସଂଗୀତ କଳା ବିଶାରଦମାନେ ଏହାକୁ ପୁନଃରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରିଆସୁଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
୧୯୭୨ ମସିହାରେ ନିଶ୍ଚିନ୍ତକୋଇଲିର ଗାନ୍ଧୀ ଭାବେ ପରିଚିତ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ନୀଳମଣି ମହାନ୍ତି ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରତିଷ୍ଠିତ ତବଲା ଗୁରୁ ଗୋପୀନାଥ ବେହେରାଙ୍କ ଦ୍ୱାରା ଏହି ସଂଗୀତ କଳାନିକେତନଟି ପ୍ରତିଷ୍ଠା କରାଯାଇଥିଲା । ଶ୍ରୀ ବେହେରା ସ୍ୱେଚ୍ଛାକୃତ ଭାବେ କଲ୍ୟାଣୀ ଟକିଜ୍ ନିକଟସ୍ଥ କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ୧୨୦ ଡିସିମିଲ ମୂଲ୍ୟବାନ୍ ଜମି ଅନୁଷ୍ଠାନକୁ ଦାନ କରି ଏହି ଶିକ୍ଷାନିକେତନ ଆରମ୍ଭ କରିଥିଲେ । ଯହାକି ସରକାରୀ ପଞ୍ଜିକୃତ ହୋଇଛି । ଆରମ୍ଭ ସମୟରେ ଏକ ପରିଚାଳନା ସମିତି ଗଠନ କରାଯାଇ ଏହି ଦୁଇ ପ୍ରତିଷ୍ଠାତାଙ୍କ ସମେତ ଚୌତନ୍ୟ ମହାପାତ୍ର, ଉତ୍ତମ ଚରଣ ପଣ୍ଡା, ନିରଞ୍ଜନ ପରିଡା, ଅଲେଖ ଦାସ, ଗୋପାଳ ଦାସ, ରଘୁନାଥ ଗାୟା, ପଞ୍ଚାନନ ଶତପଥି, ପ୍ରହଲ୍ଲାଦ ସାମଲ ପ୍ରମୁଖ ଏଥିରେ ସଭ୍ୟ ଭାବେ ରହିଥିଲେ । ଏହି କଳାନିକେତନକୁ ପରିଚାଳନା କରିବା ପାଇଁ ପରିଚାଳନା ସମିତି ପକ୍ଷରୁ ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟରୁ ପ୍ରତି ହାଟ ପାଳିରେ ବ୍ୟବସାୟୀମାନଙ୍କଠାରୁ ମାତ୍ର ୫ ପଇସା ଲେଖାଏଁ ଅର୍ଥ ଯୋଗାଡ କରାଯାଇ ଅନୁଷ୍ଠାନକୁ ସୂଚାରୁ ରୂପେ ପରିଚାଳନା କରାଯାଉଥିଲା ।

ଏହି ଅନୁଷ୍ଠାନଟି ୧୯୯୪ ମସିହା ପର୍ଯ୍ୟନ୍ତ ସଠିକ୍ ଢଙ୍ଗରେ ପରିଚାଳିତ ହୋଇଥିଲା । ଏହି ଅନୁଷ୍ଠାନରେ କଟକ, କେନ୍ଦ୍ରାପଡା, ଯାଜପୁର, ଜଗତ୍ସିଂହପୁର ଆଦି ବିଭିନ୍ନ ଜିଲ୍ଲାରୁ ବହୁ ସଂଗୀତ ଓ ନୃତ୍ୟ ଛାତ୍ର ଛାତ୍ରୀମାନେ ଶିକ୍ଷାଲାଭ କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ୧୯୯୪ ମସିହା ପରେ ନୂତନ ସମିତି ଗଠନ କରାଯିବାରୁ ଏଥିରେ କାର୍ଯ୍ୟଭାର ନେଇଥିବା ସଭ୍ୟମାନେ ଅନୁଷ୍ଠାନକୁ ମାତ୍ର ଗୋଟିଏ ବର୍ଷ ଚଳାଇବାକୁ ସକ୍ଷମ ହୋଇଥିଲେ । ୧୯୯୫ ମସିହା ପରେ ଅନୁଷ୍ଠାନଟି ଦିନକୁ ଦିନ ରୁଗ୍ଣ ହେବାକୁ ଲାଗିଲା । ନୂତନ ପରିଚାଳନା କମିଟିର ସଭ୍ୟମାନେ ସଠିକ୍ ଭାବେ ଅନୁଷ୍ଠାନଟିକୁ ପରିଚାଳନା କରିପାରିଲେ ନାହିଁ କିମ୍ବା ଏହାକୁ ପରିଚାଳନା କରିବା ପାଇଁ ଅନ୍ୟମାନଙ୍କୁ ସୁଯୋଗ ଦେଲେ ନାହିଁ ।
ବର୍ତ୍ତମାନସୁଦ୍ଧା ଏହାର ବିଭିନ୍ନ କାଗଜପତ୍ର କେତେକ ସ୍ୱାର୍ଥନେଷୀ ବ୍ୟକ୍ତିମାନେ ଅଜାୟୀ ଜବରଦସ୍ତ ନିଜ ପାଖରେ ରଖିଛନ୍ତି । ଯାହାଦ୍ୱାରା ୧୯୯୮ ମସିହାରୁ ଅଦ୍ୟାବଧି ଏହି ଅନୁଷ୍ଠାନଟି ସଂପୂର୍ଣ୍ଣ ବନ୍ଦ୍ ହୋଇପଡିରହିଛି । ସଂଗୀତ କଳାନିକେତନ ପାଇଁ ନୂତନ ଭାବେ ଗଠନ କରାଯାଇଥିବା କୋଠାଘର ଓ ଚର୍ତୁପାଶ୍ୱର ପାଚେରୀ ଭାଙ୍ଗିରୁଜି ଯାଇଥିବା ବେଳେ ଭିତରେ ବିଭିନ୍ନ ଅନାବନା ଗଛଲତା ମାଡିଯାଇ ଏକ ଭୂତକୋଠି ସଦୃଶ ପାଲଟିଛି । ପାଚେରୀ ଓ ଫାଟକ ଭାଙ୍ଗିଯାଇଥିବାରୁ ସଂଧ୍ୟା ହେଲେ ଏହା ଭିତରେ ଅସାମାଜିକ ବ୍ୟକ୍ତିମାନେ ନିଶାଦ୍ରବ୍ୟ ସେବନ କରି ଆଡ୍ଡା ଜମାଇଛନ୍ତି । ଏହି ଅନୁଷ୍ଠାନଟିକୁ ତୁରନ୍ତ ପୁନଃରୁଦ୍ଧାର କରିବା ପାଇଁ ପ୍ରଚେଷ୍ଟା କରାଗଲେ ଏ ଅଂଚଳର ବହୁ ସଂଗୀତ,ନୃତ୍ୟ ଛାତ୍ର ଛାତ୍ରୀମାନେ କଳାଶିକ୍ଷାକୁ ସହଜରେ ଗ୍ରହଣ କରନ୍ତେ ବୋଲି ସାଧାରଣରେ ଦାବି ହେଉଛି ।
ସାଲେପୁରରୁ ଅଭୟ ଜେନା