ଯୁବକଙ୍କ ଉନ୍ମତକାଣ୍ଡ, କଟାମୁଣ୍ଡ ଧରି ଗାଁ ବୁଲିଲା ହତ୍ୟାକାରୀ

ଯୁବକଙ୍କ ଉନ୍ମତକାଣ୍ଡ । ଶିଶୁ କନ୍ୟାକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ । ପୋଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ।
ମିଳିଥିବା ସୂଚନା ଅନୁସାରେ, ପରିବାର ଲୋକେ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ପ୍ରଜାଲିନ ଘର ପାଖ ଚାଷଜମିକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଗାଁର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପରେ ପ୍ରଶାନ୍ତ ଶିଶୁକନ୍ୟାର କଟା ମୁଣ୍ଡ ଧରି ଗାଁରେ ବୁଲିଥିଲା । ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିଲେ । ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତକୁ କାବୁ କରିବା ସହ କଟାମୁଣ୍ଡ ସହ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷେ କ’ଣ ପାଇଁ ପ୍ରଶାନ୍ତ ପ୍ରଜାଲିନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ତାର କାରଣ ଜଣା ପଡ଼ିନାହିଁ ।