ଆଜି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ, ଇକାନା ଷ୍ଟାଡିୟମରେ ହେବ ଆଡମ୍ବରପୂର୍ଣ୍ଣ ରାଜଭିଷେକ

ଆଜି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମରେ ଅପରାହ୍ନ ୪ଟାରେ ବେଶ୍ ଆଡମ୍ବରପୂର୍ଣ୍ଣ ସହକାରେ ହେବ ଯୋଗୀଙ୍କ ରାଜଭିଷେକ । ୩୫ ବର୍ଷ ପରେ କୌଣସି ପାର୍ଟିକୁ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତ ମିଳିଥିବାରୁ ଉତ୍ତରପ୍ରଦେଶର ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି ।
ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ଼ ବଡ଼ ରାଜନେତା ଓ ସାଧୁସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । କାର୍ଯ୍ୟକ୍ରମରେ ଅମିତ ଶାହ, ରାଜନାଥ ସିଂ, ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏବେ ଚର୍ଚ୍ଚାରେ ଥିବା ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ର ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ଓ ଅନୁପମ ଖେରଙ୍କୁ ବି ଏହି ଶପଥ ଗ୍ରହଣ ଉତ୍ସବରେ ଅତିଥି ହେବାକୁ ନିମନ୍ତ୍ରଣ ମିଳିଛି । ଏହା ସହ ଉଦ୍ୟୋଗୀ କ୍ଷେତ୍ରରୁ ମୁକେଶ ଅମ୍ବାନୀ, ଗୌତମ ଅଦାନୀ, ଆନନ୍ଦ ମହିନ୍ଦ୍ରାଙ୍କ ସମେତ ୬୦ରୁ ଅଧିକ ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ନିଜେ ଯୋଗୀ ଫୋନ୍ କରି ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି ।
ଶୁକ୍ରବାର ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ନେତା, ବିଧାୟକ ଓ ମନ୍ତ୍ରୀଙ୍କ ସୁଅ ଛୁଟିବାରେ ଲାଗିଛି । ଇତିମଧ୍ୟରେ କେଶବ ପ୍ରସାଦ ମୌର୍ଯ୍ୟ, ପୂର୍ବତନ ଆଇଏଏସ୍ ଅଫିସର ଏକେ ଶର୍ମା, ଜିତିନ ପ୍ରସାଦ, ବ୍ରଜେଶ ପାଠକ, ଗିରିଶ ଯାଦବ, ସତୀଶ ଶର୍ମା, ବେବି ରାନି ମୌର୍ଯ୍ୟ, ଜୟବୀର ସିଂହ, ସଞ୍ଜୀବ ଗୌଡ, ଭୂପେନ୍ଦ୍ର ଚୌଧୁରୀ, ସନ୍ଦିପ ସିଂହ, ନୀତିନ ଅଗ୍ରଓ୍ବାଲ ଓ ଆଶିଷ ପଟେଲ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ।
ଏତଦ୍ ବ୍ୟତୀତ ଯୋଗୀ ନିଜେ ଫୋନ୍ କରି ସପା ମୁଖ୍ୟ ମୁଲାୟମ ସିଂ ଯାଦବ, ପୂର୍ବ ସିଏମ୍ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛନ୍ତି । ସେମାନଙ୍କ ବାଦ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ବି ନିମନ୍ତ୍ରଣ ଦିଆଯାଇଛି । କିନ୍ତୁ ଅଖିଳେଶ ଯାଦବ ଓ ଜୟନ୍ତ ଚୌଧୁରୀ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ବୋଲି ସୂଚନା ମିଳିଛି ।
ସମାରୋହରେ ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ । ତେବେ ଯୋଗୀ ସରକାରଙ୍କ ସହ ଶପଥ ନେବାକୁ ଥିବା ୫୧ଜଣ ମନ୍ତ୍ରୀଙ୍କ ତାଲିକା ଚୂଡାନ୍ତ ହୋଇଛି । ଏହି ନୂଆ କ୍ୟାବିନେଟରେ ମହିଳା ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ସୁରକ୍ଷା ଦୃଷ୍ଟିରୁ ଇକାନା ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଲୋକଙ୍କ ବସିବା ବ୍ୟବସ୍ଥା କରାଯିବା ସହ ୮ ହଜାର ପୋଲିସ୍ କର୍ମୀ ନିୟୋଜିତ ହୋଇଛନ୍ତି । ଉତ୍ତରପ୍ରଦେଶର ୪୫ ହଜାର ବିଜେପି କର୍ମୀ ଆଜି ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ଜଣାଯାଇଛି ।