ଟାହି ଟାପରାରୁ ଗୋଷ୍ଠୀ ସଂଘର୍ଷ; ଘଟଣା ସ୍ଥଳରେ ଚାଲିଗଲା ୪ ଜଣଙ୍କ ଜୀବନ

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଟାହି ଟାପରା କରିବା ନେଇ ଗୋଷ୍ଠୀ ସଂଘର୍ଷ । ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗଞ୍ଜାମ ଜିଲ୍ଲା ପିତଳ ହତ୍ୟାକାଣ୍ଡ ମାମଲାକୁ ନେଇ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଅଭିଯୁକ୍ତଙ୍କୁ ଗିରଫଦାରୀ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଗୋଟିଏ ପରିବାର ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କ ଗିରଫ ଦାବି ଜୋର ଧରିଛି । ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏପଟେ ପିତଳ ଛକରେ ବ୍ରହ୍ମପୁର-ଆସିକା ଏନ୍ଏଚ୍-୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଫଳରେ ବ୍ରହ୍ମପୁରରୁ ଆସିକାଯାଏଁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହିଞ୍ଜିଳିରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପୋଲିସର ସୂଚନା ଅନୁସାରେ, ଗତକାଲି ରାତିରେ ପିତଳ ନରେନ୍ଦ୍ରପୁର ଛକରେ ଦୁର୍ଘଟଣା ଯୋଗୁଁ ବାଇକରେ ଯାଉଥିବା ଜଣେ ପୁରୁଷ ଓ ଜଣେ ମହିଳା ତଳେ ପଡି ଆହତ ହୋଇଥିଲେ । ଏହି ସମୟରେ ରାସ୍ତା କଡ ଏକ ଦୋକାନରେ ଠିଆ ହୋଇଥିବା କିଛି ଯୁବକ ସେମାନଙ୍କୁ ସହାୟତା କରିଥିଲେ । ତେବେ ଘଟଣା ସ୍ଥଳରେ କିଛି ଲୋକ ଉକ୍ତ ମହିଳାଙ୍କୁ କମେଣ୍ଟ ମାରିବାରୁ, ଏହାକୁ ନେଇ ଘଟଣା ସ୍ଥଳରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଯେଉଁଥିରେ ଗୋଟିଏ ପରିବାରର ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଏବଂ ରାଜା ସ୍ୱାଇଁ ତିନି ଭାଇ ପ୍ରାଣ ହରାଇଥିବା ବେଳେ ଓ ସମ୍ପର୍କୀୟ ଚନ୍ଦନ ସ୍ୱାଇଁଙ୍କ ଜୀବନ ବି ଯାଇଛି ।
ଘଟଣାସ୍ଥଳରେ ହିଞ୍ଜିଳି ଆସିକା ଓ ଶେରଗଡ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏବେ ଯାଏଁ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ହିଞ୍ଜିଳି ପୋଲିସ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ