ନାମାଙ୍କନର ଶେଷ ଦିନରେ ଜମିବ ଭିଡ !

ପୌର ଏବଂ ମହାନଗର ନିଗମ ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଗତକାଲି ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ମଧ୍ୟ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ଗତକାଲି କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ବିଜେଡି ଓ ବିଜେପିର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ସେହିପରି ଭୁବନେଶ୍ୱରରେ ଅନେକ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ହେଲେ ବିଜେଡି ସମସ୍ତ କର୍ପୋରେଟରଙ୍କ ନାମ ଏଯାବତ୍ ଘୋଷଣା କରିନାହିଁ । ସେହିପରି କଟକରେ ମଧ୍ୟ ମେୟର ପଦ ପାଇଁ ତିନି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ।
ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୭ ହୋଇଥିଲେ ବି ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ଦଳୀୟ ଟିକେଟ୍ ଦାଖଲ କରିପାରିବେ । ଟିକେଟ୍ ଦାଖଲ ନ କଲେ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ ।
ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍ ଗ୍ରହଣ । ହେଲେ ୨୬ ତାରିଖରେ ଗଣତି ପରେ ଜଣାପଡ଼ିବ ନିର୍ବାଚନରେ କିଏ ବାଜିମାତ କରୁଛି ।