ଭୁବନେଶ୍ୱର ମହାନଗର ନିଗମ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କ ଉପରେ ଭରସା କଲା କଂଗ୍ରେସ

ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସ ଘୋଷଣା କଲା ମେୟର ପ୍ରାର୍ଥୀଙ୍କ ନାମ । ଦଳ ମଧୁସ୍ମିତା ଆଚାର୍ଯ୍ୟଙ୍କ ଉପରେ ଆସ୍ଥା ରଖି ତାଙ୍କୁ ମେୟର ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ଏ ନେଇ ବିଧିବଦ୍ଧ ଭାବେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ପ୍ରାଥୀ ଭାବେ ଚୟନ କରିଛି ଜାତୀୟ କଂଗ୍ରେସ ।
ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ୨୪ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ ୨୬ ମାର୍ଚ୍ଚରେ ଭୋଟ ଗଣତି ହେବ । ମୋଟ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ପଡିବ ଭୋଟ ।