ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା …ପ୍ରଥମଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ ।

ପୌର ନିର୍ବାଚନ ପାଇଁ ଆଜିଠୁ ଆସନ୍ତା ୭ ତାରିଖ ଯାଏଁ ଚାଲିବ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ପୌର ନିର୍ବାଚନ ପାଇଁ କମ୍ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଖୁବଶୀଘ୍ର ଏଥିପାଇଁ ପ୍ରାର୍ଥୀତାଲିକା ଘୋଷଣା ହେବ । ୧୦୬ଟି ପୌରପରିଷଦର ମୋଟ ୧୭୩୧ ୱାର୍ଡର ୩ ହଜାର ୩୦ଟି ବୁଥରେ ନିର୍ବାଚନ ହେବ । ମୋଟ ୨୭ ଲକ୍ଷରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ସେହିଭଳି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ନିର୍ବାଚନ ହେବ । ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ତେବେ ଚଳିତଥର ମେୟର ପ୍ରାର୍ଥୀଙ୍କୁ ନେଇ ଲାଗି ରହିଛି ଉତ୍ସାହ । କାରଣ, ଏଥର ମ୍ୟୁନିସିପାଲଟି ଚେୟାରମ୍ୟାନ୍ ଓ ମହାନଗର ନିଗମ ମେୟର ପଦ ଲାଗି ହେବ ସିଧାସଳଖ ନିର୍ବାଚନ ।
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଭୋଟ୍ ହେବ । ମାର୍ଚ୍ଚ ୨୬ରେ ଭୋଟ ଗଣତି କରାଯିବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବା ସହିତ ଏପ୍ରିଲ ୮ରେ ଡେପୁଟି ମେୟର ନିର୍ବାଚନ ହେବ ।
ଏଥର ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ । ପ୍ରତି ବୁଥରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ । ସେହିପରି ଦ୍ୱିତୀୟ ଇଭିଏମ୍ ଦ୍ବାରା କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ ଦେଇହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ ।
ଅପରପକ୍ଷେ ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନାହିଁ । ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି । ଆସନ ସଂରକ୍ଷଣ ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା ।