ଘୋଷଣା ହେଲା ପୌର ନିର୍ବାଚନ ତାରିଖ…ମାର୍ଚ୍ଚ ୨୪ରେ ମତାଧିକାର ସାବ୍ୟସ୍ତ କରିବେ ମତଦାତା

ପଞ୍ଚାୟତ ନିର୍ବାଚନ ସରୁ ସରୁ ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆସନ୍ତା ଫେବୃଆରୀ ୨୮ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।
ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ସିଧାସଳଖ ଭାବେ ଭୋଟ ଦେବେ ଭୋଟର । ଯେଉଁଥିପାଇଁ ପ୍ରତ୍ୟେକ ବୁଥରେ ୨ଟି ଲେଖାଏଁ ଇଭିଏମ ମେସିନ୍ ରହିବ । ଗୋଟିଏ ଇଭିଏମରେ କର୍ପୋରେଟର ବା କାଉନସିଲରଙ୍କ ପାଇଁ ଭୋଟ ହେବ । ଏବଂ ଅନ୍ୟଟିରେ ପୌରସଂସ୍ଥାର ଅଧ୍ୟକ୍ଷ ବା ମେୟର ପଦ ପାଇଁ ଭୋଟ ଦେବେ ଭୋଟର । ପ୍ରଥମ ଥର ପୌର ନିର୍ବାଚନରେ ଇଭିଏମରେ ନୋଟା ବିକଳ୍ପ ରହିବ । ତେବେ ଚଳିତଥର ପ୍ରାର୍ଥୀମାନେ ୨ଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ରହିଛି ।
ଏ ନେଇ ନାମାଙ୍କନ ପତ୍ର ଦାଖଲ ଆସନ୍ତା ମାର୍ଚ୍ଚ ୨ରୁ ୭ ମାର୍ଚ୍ଚ ପର୍ଯ୍ୟନ୍ତ ହେବ । ୯ ମାର୍ଚ୍ଚରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବା ଲାଗି ସମୟ ରହିବ । ତେବେ ସରକାରୀ ଛୁଟିଦିନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ ନାହିଁ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି । ଆସନ୍ତା ୨୪ ମାର୍ଚ୍ଚ ୨୦୨୨ରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ତେବେ ପୌର ନିର୍ବାଚନର ଫଳାଫଳ ୨୬ ମାର୍ଚ୍ଚ ୨୦୨୨ରେ ପ୍ରକାଶ ପାଇବ । ଏହାପରେ ଉପାଧ୍ୟକ୍ଷ ନିର୍ବାଚନ ଆସନ୍ତା ୭ ଏପ୍ରିଲ ୨୦୨୨ ଏବଂ ଡେପୁଟି ମେୟର ନିର୍ବାଚନ ୮ ଏପ୍ରିଲ ୨୦୨୨ରେ ଅନୁଷ୍ଠିତ ହେବ ।