ପରଲୋକରେ ବଜାଜ୍ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ

ଦେଶର ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଆଜି ପୁଣେଠାରେ ତାଙ୍କର ଦେହାନ୍ତ ହୋଇଛି । ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସମ୍ପନ୍ନ କରାଯିବ ।

ରାହୁଲ ବଜାଜ୍ ୧୯୩୮ ମସିହା ଜୁନ୍ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୨ ମସିହାରେ ବଜାଜ୍ କମ୍ପାନୀର ଦାୟିତ୍ୱ ସମ୍ଭାଳି ଥିଲେ । ଏହାପରେ ଦୀର୍ଘ ୫୦ ବର୍ଷ ଧରି ସେ କମ୍ପାନୀର ଚେୟାରମ୍ୟାନ ପଦବୀରେ ରହି କମ୍ପାନୀକୁ ଆଗକୁ ନେବାରେ ସଫଳ ହୋଇଥିଲେ । ବିଶେଷକରି ଦୁଇ ଚକିଆ ଯାନ ପାଇଁ ତାଙ୍କର ଏକ ଚର୍ଚ୍ଚିତ ଟ୍ୟାଗ ଲାଇନ୍ ‘ହମାରା ବଜାଜ୍’ ଉପଭୋକ୍ତାଙ୍କ ହୃଦୟକୁ ଛୁଇଁ ପାରିଥିଲା । ଦେଶର ସଫଳତମ ଉଦ୍ୟୋଗପତି ରାହୁଲ ବଜାଜ୍ ଦୁଇ ଚକିଆ ଓ ତିନି ଚକିଆ ଗାଡି ନିର୍ମାଣ କରି ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଥିଲେ ।

୨୦୦୧ରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା । ଏହାସହ ସେ ରାଜନୀତିରେ ବି ପାଦ ରଖିଥିଲେ । ୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ ନିଜୟ ଦାୟିତ୍ୱ ତୁଲାଇଥିଲେ ।