ଥମିଗଲା ସୁର ସାମ୍ରାଜ୍ଞୀଙ୍କ ସ୍ୱର… ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ସ୍ୱର ସାମ୍ରାଜ୍ଞୀଙ୍କ କଥା ଉଠିଲେ ସମସ୍ତଙ୍କ ମନରେ ଗୋଟିଏ ନାମ ଆସେ । ସେ ହେଉଛନ୍ତି ଭାରତ ରତ୍ନ ଲତା ମଙ୍ଗେସକର । ତାଙ୍କ କଣ୍ଠ ହିଁ ଥିଲା ତାଙ୍କ ପରିଚୟ । ହେଲେ ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ । ସମସ୍ତଙ୍କୁ ଶୋକର ସ୍ରୋତରେ ଭସାଇ ନୀରବି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ । ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କରୋନା ସାଙ୍ଗକୁ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଥିବା ଜଣାପଡ଼ିଥିଲା । ତାଙ୍କୁ ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୨୮ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ କରି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେଇଥିଲା । ଆଉ ଆଜି ସକାଳେ ତାଙ୍କର ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି । ଆଜି ଅପରାହ୍ଣ ସାଢେ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

ଲତା ମଙ୍ଗେସକରଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ପାଇ ବିଶ୍ୱର କୋଟି କୋଟି ଲୋକଙ୍କ ଭଳି ତାଙ୍କ ହୃଦୟ ବି ଭାଙ୍ଗି ଯାଇଛି । ସେ ଅତୁଳନୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଦୁଃଖକୁ ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ଲତା ମଙ୍ଗେସକରଙ୍କ ପରଲୋକରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ । ପିଢ଼ି ପରେ ପିଢ଼ି ତାଙ୍କୁ ଲୋକେ ମନେ ରଖିବେ ।
୧୯୨୯, ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲାବେଳୁ ହିଁ ସେ ସଙ୍ଗୀତ ପ୍ରତି ମନ ବଳାଇଥିଲେ । ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିବା ସେବେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ।
ଦିନାନାଥଙ୍କ ମୃତ୍ୟୁ ପରେ ତାଙ୍କର ପାରିବାରିକ ବନ୍ଧୁ ମାଷ୍ଟର ବିନାୟକ ତାଙ୍କ ପରିବାରର ଦେଖାଶୁଣା କରିଥିଲେ । ବିନାୟକଙ୍କର ‘ନବଯୁଗ ଚିତ୍ରପଟ’ ନାଁରେ ଏକ ଫିଲ୍ମ କମ୍ପାନୀ ଥିଲା । ଆଉ ସେ ହିଁ ଲତାଙ୍କୁ ଜଣେ ଗାୟିକା ଓ ଅଭିନେତ୍ରୀ ଭାବେ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥିଲେ । ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର ।
୧୯୪୨ରେ ଲତା ମରାଠୀ ଫିଲ୍ମ ‘କିତି ହସାଲ’ ପାଇଁ ଏକ ଗୀତ ଗାଇଥିଲେ । ତେବେ ଗୀତଟିକୁ ଶେଷ ମୁହୂର୍ତ୍ତରେ ଫିଲ୍ମରୁ ବାଦ୍ ଦିଆଯାଇଥିଲା । ସେହି ବର୍ଷ ବିନାୟକଙ୍କ ଏକ ମରାଠୀ ଫିଲ୍ମରେ ଲତା ଏକ ଗୀତ ଗାଇଥିଲେ । ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦି ଓ ମରାଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ ।
୧୯୪୫ରେ ଲତା ମୁମ୍ବାଇ ଚାଲି ଆସିଥିଲେ । କାରଣ ବିନାୟକଙ୍କ ଫିଲ୍ମ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିଲା । ମୁମ୍ବାଇ ଆସିବା ପରେ ସେ ଭିଣ୍ଡିବଜାର ଘରାନାର ଉସ୍ତାଦ ଅମନ ଅଲୀ ଖାନଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ । ୧୯୪୬ରେ ସେ ହିନ୍ଦୀ ଫିଲ୍ମ ‘ଆପ୍ କି ସେବା ମେଁ’ରେ ଏକ ଗୀତ ଗାଇଥିଲେ । ୧୯୪୮ରେ ବିନାୟକଙ୍କ ମୃତ୍ୟୁ ପରେ ଲତାଙ୍କୁ ଗାୟିକା ଭାବେ କ୍ୟାରିୟର ଗଢ଼ିବା ପାଇଁ ଗାଇଡ୍ କରିଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର ।
ତେବେ ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।
ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦି ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
୧୯୫୮ ମସିହାରେ ସେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହା ସହିତ ସେ ୪ ଥର ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଥିଲେ । ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା । ଏପରିକି ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ ।
୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୧ରେ ଭାରତରତ୍ନ ସମ୍ମାନ, ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ଲତାଙ୍କୁ ମିଳିଥିଲା । ଫ୍ରାନ୍ସ ସରକାର ତାଙ୍କୁ ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନରରେ ସମ୍ମାନିତ କରିଥିଲେ ।