ସମଗ୍ର ଓଡିଶା ରେଳପଥ ସହ ସଂଯୋଗ ହେବାର ସ୍ୱପ୍ନ ପୁରଣ ହେବ : ଦିଲ୍ଲୀପ ମଲ୍ଲିକ

ଦେଶ ସ୍ୱାଧୀନତା ପରଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇ ଆସୁଥିଲା । ପ୍ରାକୃତିକ ସଂପଦ ଓ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ଓଡିଶା ରାଜ୍ୟର ବିକାଶ ପାଇଁ ରେଳବାଇ କ୍ଷେତ୍ରର ବିକାଶ ଅନିବାର୍ଯ୍ୟ ଏବଂ ଏହାକୁ ସଠିକ୍ ଆକଳନ କରି କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ପ୍ରତିବର୍ଷ ବଜେଟରେ ବ୍ୟାପକ ମାତ୍ରାର ଆର୍ଥିକ ବ୍ୟୟବରାଦ କରିଆସୁଛନ୍ତି । ଚଳିତ ବର୍ଷ ବଜେଟରେ ଆଶାରୁ ଅଧିକ ବ୍ୟୟବରାଦ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ମୋଦି ସରକାର ରାଜ୍ୟବାସୀଙ୍କ ନିକଟରେ ଅଧିକ ଆସ୍ଥାଭାଜନ ହୋଇପାରିଛନ୍ତି । କେବଳ ନୂତନ ରେଳପଥ ନୁହେଁ, ବରଂ ରେଳଯାତ୍ରୀଙ୍କ ସୁବିଧା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଅଧିକ ଅର୍ଥ ବରାଦ କରିଛନ୍ତି ।
ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ୯ ହଜାର ୭୩୪ କୋଟି ଟଙ୍କା ଅର୍ଥ ବ୍ୟୟବରାଦ କରିଛନ୍ତି । ଏହା ବ୍ୟତୀତ ଯାତ୍ରୀ ସୁବିଧା ପାଇଁ ୩୦୪.୧୭ କୋଟି ଟଙ୍କା ବ୍ୟୟବରାଦ କରାଯିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି କଟକ ସଦର ବିଜେପି ନେତା ତଥା ରେଲୱେ ବୋର୍ଡ ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ମୋଦି ସରକାରଙ୍କ ଅମଳରେ ଖୁବ ଶୀଘ୍ର ସମଗ୍ର ଓଡିଶା ରେଳପଥ ସହ ସଂଯୋଗ ହେବାର ସ୍ୱପ୍ନ ମଧ୍ୟ ପୁରଣ ହେବାକୁ ଯାଉଛି । ମୋଦି ସରକାରଙ୍କ ଓଡିଶା ଏବଂ ଓଡିଶାବାସୀଙ୍କ ପ୍ରତି ଭଲ ପାଇବା ତଥା ଅକୁଣ୍ଠ ସହାୟତା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।
ଚଳିତ ବର୍ଷ ରେଳ ବଜେଟରେ ଓଡିଶାକୁ ପ୍ରାଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀ ମଲ୍ଲିକ ।
ସାଲେପୁରରୁ ଅଭୟ ଜେନା