ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି…

ଆସନ୍ତାକାଲି ସାରା ଦେଶ ପାଳନ କରିବ ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ । କରୋନା କାଳରେ ଗଣତନ୍ତ୍ର ଦିବସ ପାଳନ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ରିଲିଫ୍ କମିଶନର ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ।
ଗାଇଡ ଲାଇନ ଅନୁଯାୟୀ, ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି । ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଗଣତନ୍ତ୍ର ଦିବସ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ପାଳନ ହେବ । ଏହି ସମୟରେ ସମସ୍ତେ ମାସ୍କ ପରିଧାନ, ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରାଯିବା ସହ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯାଇଛି ।

ଗାଇଡଲାଇନ ଅନୁସାରେ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ୍ ଅନୁସାରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେଉଥିବା ନେତା ଓ ମନ୍ତ୍ରୀ ନିଜ ଭାଷଣକୁ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଓ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରଖିବେ । ଏଥିରେ କୌଣସି ପ୍ରକାରର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ ।