ମନେ ପଡନ୍ତି ସମଗ୍ର ବିଶ୍ୱର ସଂଗ୍ରାମୀ ପୁରୁଷ ନେତାଜୀ…

ଆଜି ହେଉଛି ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏବେ କଟକ ହୋଇଛି ଉତ୍ସବ ମୁଖର । ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ନେତାଜୀଙ୍କ ଅବଦାନକୁ ନେଇ ୧୫ ଜଣ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରସ୍ତୁତ କରିଛନ୍ତି ୧୫ଟି ଭାସ୍କର୍ଯ୍ୟ କଳା । ଏହା ନେତାଜୀ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି । ଏହି ୧୫ଜଣ ଶିଳ୍ପୀ ନେତାଜୀଙ୍କ ବୀରତ୍ୱର କାହାଣୀ, ନେତାଜୀଙ୍କ ଆଦର୍ଶ ତଥା ବିଶେଷ ଘଟଣା ସଂବନ୍ଧୀୟ ମୃଣ୍ମୟ କଳାକୃତି ଗୁଡିକ ତିଆରି କରିଛନ୍ତି । ୧୨୫ତମ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟର ୪ ନମ୍ବର ଗ୍ୟାଲେରୀରେ ଏଗୁଡିକୁ ତିଆରି କରାଯାଇଛି । ସେହିପରି ସିଡିଏସ୍ଥିତ ଆରଆର ସେଣ୍ଟରରେ ନେତାଜୀଙ୍କ ମାଟିର ମୂର୍ତ୍ତି ଗଢାଯାଇଛି । ୧୨୫ତମ ଜୟନ୍ତୀରେ ୧୨୫ଟି ଅନୁଷ୍ଠାନରେ ମୂର୍ତ୍ତି ଗଢି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଉଛି ।

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି । ଶାନ୍ତି କିମ୍ବା ସହାନୁଭୁତି ନୁହେଁ, ମୁକ୍ତି ପାଇଁ ଆବଶ୍ୟକ ସଂଗ୍ରାମ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିହେବ । ଏ ଉକ୍ତି ଥିଲା ମୁକ୍ତ ଆକାଶରେ ଉଡି ବୁଲୁଥିବା ଏକ ବାଜ ପକ୍ଷୀର । ଯିଏ ପ୍ରତ୍ୟେକ ମୂହୂର୍ତ୍ତରେ ଗୋରା ସରକାରକୁ ନିଜ ପଞ୍ଝାରେ ଆକ୍ରମଣ କରି ଅଣାୟତ୍ତ କରୁଥିଲା । ଅହିଂସା ନୁହେଁ ଯେସାକୁ ତେସା ଉପାୟ ଆପଣାଇ ନିଜ ସ୍ୱାଧିନତାକୁ ଛଡାଇ ଆଣିବାକୁ ସେ ଥିଲେ ଅଙ୍ଗୀକାର ବଦ୍ଧ । ସେଥିପାଇଁ ତ ସେ କହିଥିଲେ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି । ସମଗ୍ର ବିଶ୍ୱର ସଂଗ୍ରାମୀ ପୁରୁଷ ଥିଲେ ସେ । ସେ ହେଉଛନ୍ତି ବିସ୍ମୟ ବିଦ୍ରୋହୀ ସୁଭାଷ ଚନ୍ଦ୍ର ବୋଷ । ବୀରତ୍ୱ, ବଳିଦାନ, ଅଦମ୍ୟ ସାହସ ଓ ଅସୀମ ଦେଶ ପ୍ରେମର ଉଜ୍ଜ୍ୱଳ ଉଦାହରଣ ହେଉଛନ୍ତି ନେତାଜୀ । ସାହସ ଓ ଅଟଳ ବିଶ୍ୱାସର ପ୍ରତୀକ ଥିଲେ ସେ । ତାଙ୍କର ପ୍ରତିଟି କାର୍ଯ୍ୟଶୈଳୀ ଥିଲା ଦୁଃସାହସିକ । ବିଜ୍ଞ ରାଜନୀତିଜ୍ଞ, ଓଜସ୍ୱୀ ବକ୍ତା ଓ ବିଶେଷ କରି ଅନେକଙ୍କୁ ପ୍ରଭାବିତ କରି ପାରୁଥିବା ଜଣେ ନିଷ୍ଠାପର ନେତା ଥିଲେ ନେତାଜୀ । ହେଲେ ଆଜି ବି ତାଙ୍କର ଶେଷ ଜୀବନୀ ରହସ୍ୟମୟ । ତାଙ୍କ ନିଖୋଜ ଓ ମୃତ୍ୟୁ ଖବର ଯେତିକି ବିତର୍କିତ ତାଙ୍କ ବିଷୟରେ ଅନେକ ରହସ୍ୟ ଆଜି ବି ଅନାଲୋଚିତ ।
ଐତିହ୍ୟ ନଗରୀ, ପ୍ରାଚୀର ଦୁର୍ଗର ଦୁଃସାହାସୀ ସହର ସିଲିଭର ସିଟିରେ ଜନ୍ମ ନେଇଥିଲେ ନେତାଜୀ । ବାପା ଜାନକୀ ନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ପରାକ୍ରମୀ ଉତ୍କଳ ମାଟିରେ ସୁଭାଷଙ୍କ କୁନି ପାଦ ପଡେ । ଆଉ ବିଦ୍ୟାଳୟରେ ପ୍ରଥମ ଦିନରୁ ହିଁ ସୁଭାଷଙ୍କ ପ୍ରତିଭାକୁ ପରଖି ନେଇଥିଲେ ପ୍ରଧାନଶିକ୍ଷକ ବେଣିମାଧବ ଦାସ । ଖୁଦୀରାମଙ୍କ ଫାଶି ଘଟଣାରେ ପ୍ରଭାବିତ ହୋଇ ବିଦେଶରେ ପାଠପଢା ତ୍ୟାଗ କରି ନେତାଜୀ ୧୯୨୩ ମସିହାରେ ଭାରତୀୟ ରାଜନୀତିରେ ପ୍ରବେଶ କରନ୍ତି । ୧୯୨୪ ମସିହାରେ ସେ କଲିକତାର ମେୟର ହୁଅନ୍ତି । ପରବର୍ତ୍ତୀ ସମୟରେ ବ୍ରିଟିଶ ସରକାରର ନିର୍ଦ୍ଦୟ ନିର୍ଯାତନା ଏବଂ ଭାରତୀୟଙ୍କ ଅସହ୍ୟ ଯନ୍ତ୍ରଣା ତାଙ୍କ ମନରେ ବିପ୍ଲବର ବହ୍ନି ଉଦ୍ଦିପନ ହୁଏ । ୧୯୩୯ ମସିହାରେ ଜନ୍ମନିଏ ସୁଭାଷଙ୍କ ‘ଫରୱାର୍ଡ଼ ବ୍ଳକ’ ସଂଘ ।
ସଶସ୍ତ୍ର ଆନ୍ଦୋଳନ ହିଁ ଦେଶକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକ୍ତ କରିପାରିବ, ଏହି ବିଶ୍ୱାସ ରଖୁଥିବା ସୁଭାଷ, ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ପ୍ରତ୍ୟାଖାନ କରି ଭାରତ ଛାଡିଥିଲେ । ବିଦେଶରେ ଆତ୍ମଗୋପନ କରି ସେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ ଚଳାଇଥିଲେ । ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ ଋଷ ଦେଇ ପହଞ୍ଚିଥିଲେ ବର୍ଲିନରେ । ପରେ ଆଜାଦ୍ ହିନ୍ଦ୍ ଫୌଜ ଗଠନ କରି ସେ ଦିଲ୍ଲୀ ଚଲ୍ଲୋର ନାରା ଦେଇଥିଲେ ।
ତେବେ ଅଗଷ୍ଟ ୧୯୪୫ରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରାମାଣୁ ବୋମା ନିକ୍ଷେପ କରିଥିଲା । ଫଳରେ ଜାପାନ ଆତ୍ମସମର୍ପଣ କରିଥିଲା । ଏହା ସୁଭାଷଙ୍କ ପାଇଁ ଥିଲା ସବୁଠାରୁ ବଡ଼ ଝଟକା । କୁହାଯାଏ ୧୯୪୫ ମସିହା ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଆଜି ବି ତାଙ୍କର ମୃତ୍ୟୁ ଏକ ରହସ୍ୟମୟ । ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିଥିବା ଗୋରା ସରକାରଙ୍କୁ ସୁଭାଷ ଜଣାଇ ଦେଇଥିଲେ ଯେ, ଅହିଂସା ଓ ଶାନ୍ତିର ମନ୍ତ୍ର ବାଣ୍ଟୁଥିବା ଭାରତକୁ ଶସ୍ତ୍ରରେ ମଧ୍ୟ ଜବାବ ଦେଇ ଆସେ । ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିବା ଏହି ମହାରଥୀଙ୍କ ଗାଥା କାଳ କାଳ ପାଇଁ ଅବିସ୍ମରଣୀୟ ହୋଇ ରହିବ ।