ରାଜଧାନୀରେ ସ୍ଥାନାନ୍ତର ହେଲା ୧ ନମ୍ବର ପରିବା ହାଟ

ରାଜଧାନୀରେ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର କରାଯାଇଛି । ଆଜିଠାରୁ ୧ ନମ୍ବର ପରିବା ହାଟକୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି । ହାଟ ଭିତରେ କୋଭିଡ଼ ନିୟମ ସଠିକ୍ ଭାବେ ପାଳନ ହେଉ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । କରୋନା କଟକଣା ମାନି ଦୋକାନ ଦୋକାନ ମଧ୍ୟରେ ୮ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ସମସ୍ତେ ମାସ୍କ ଓ ସାନିଟାଇଜର ଆଦି ବ୍ୟବହାର ପାଇଁ ନିୟମ କଡାକଡି କରାଯାଇଛି ।

ସେହିପରି ଦୋକାନ ସମ୍ମୁଖରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଗୋଲେଇ ଅଙ୍କା ଯାଇଛି । ପ୍ରତି ଗୋଲେଇ ମଧ୍ୟରେ ୬ଫୁଟ୍ ଦୂରତା ରଖାଯାଇଛି । ତେବେ ଯେଉଁ ଦୋକାନରେ ଗାଇଡ୍ଲାଇନ୍ ଉଲ୍ଲଙ୍ଘନ ହେବା ନଜରକୁ ଆସିବ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ଚେତାବନୀ ଦେଇଛି ।

ଅପରପକ୍ଷେ ହାଇସ୍କୁଲ ପଡ଼ିଆରେ ହାଟ ବସିବାକୁ ନେଇ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୧ ନମ୍ବର ହାଟରେ ୧୪ ଶହ ବେପାରୀ ବସୁଥିବାବେଳେ ହାଇସ୍କୁଲ ପଡ଼ିଆରେ ଜାଗା ଅଭାବ ହେଉଛି । ଏଣୁ ଅଧାରୁ ଅଧିକ ବେପାରୀ ଦୋକାନ ଖୋଲି ପାରୁନାହାନ୍ତି ।