ନିର୍ବାଚନ ଡ୍ୟୁଟିରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଏଭଳି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳ ରାଜ୍ୟ ନିର୍ବାଚନ କମିଶନ ବଡ଼ ଘୋଷଣା କରିଛନ୍ତି ।

ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ବ୍ୟକ୍ତି ବା ଉଗ୍ରବାଦୀଙ୍କ ଦ୍ୱାରା ସଂଘଟିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରଶି ପ୍ରଦାନ କରାଯିବ । ସେହିଭଳି ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ସେହିପରି ହିଂସାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଦିବ୍ୟାଙ୍ଗ ହୋଇଗଲେ ୧୫ ଲକ୍ଷ, ଯେପରିକି ଆଖି ନଷ୍ଟ ହୋଇଗଲେ ୧୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ଅନ୍ୟ କାରଣରୁ ଯେପରିକି କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢେ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ ।
ଏହା ସହ ନିର୍ବାଚନ ଡ୍ୟୁଟି ସମୟରେ ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ମିଳିବ । ଏତଦ୍ ବ୍ୟତୀତ ନିର୍ବାଚନ ଡ୍ୟୁଟି କରୁଥିବା କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ସେହିଭଳି କରୋନାରେ ଆକ୍ରାନ୍ତ ହେଲେ ମାଗଣାରେ ସମସ୍ତ ଚିକିତ୍ସା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ଏହି ସୁବିଧା ସରକାରୀ ଓ ପ୍ରାଇଭେଟ ଗାଡ଼ି ଡ୍ରାଇଭର ଓ ହେଲପର ବି ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । କରୋନା କାଳରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭ଶହ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏହାବାଦ ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି ।