ବ୍ୟାଙ୍କରୁ ସୁନା ଲୁଟିଥିଲେ ପୂର୍ବତନ କର୍ମଚାରୀ, ଫିଲ୍ମ ଷ୍ଟାଇଲରେ ହୋଇଥିଲା ଚୋରି

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ସୁନା ଚୋରି ଘଟଣାର ହେଲା ପର୍ଦ୍ଦାଫାସ୍ । ଏହି ଘଟଣାରେ ପୋଲିସ୍ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆଙ୍କୁ ଗିରଫ କରିଛି । ଏହା ସହିତ ନାରାୟଣପାଟଣା ଥାନା ଅଧୀନ ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରିଛି ।
ସୂଚନା ଅନୁସାରେ, ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ଗ୍ରାହକମାନଙ୍କର ୧ କେଜି ୬୧୦ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ ଶାଖା ପରିଚାଳକ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଥାନା ପୋଲିସ୍ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଆଉ ଏଥିରୁ ଧରା ପଡ଼ିଯାଇଥିଲେ ଶେଖର କୁଳଦୀପିଆ ।

ଅପରପକ୍ଷେ ବଳକା ସୁନାକୁ ବିକ୍ରି କରି ନିଜ ନାଁରେ ଜମି କିଣିବା ସହ କିଛି ନଗଦ ଟଙ୍କା ପାଖରେ ରଖିଥିଲା ଲୁଟେରା । ୨ ଲକ୍ଷ ୯୫ ହଜାର ନଗଦ ଟଙ୍କା ଓ ଜମିର କାଗଜ ପତ୍ର ଜବତ କରିଛି ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି । ପୋଲିସ୍ ସିସିଟିଭି ଫୁଟେଜକୁ ଆଧାର କରି ସମ୍ପୃକ୍ତ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ।
ପୋଲିସ୍ ଦେଇଥିବା ତଥ୍ୟ ଅନୁଯାୟୀ, ୪୩ ବର୍ଷୀୟ ଶେଖର ଲକ୍ଷ୍ମୀପୁର ଏସ୍ବିଆଇର ମେସେଞ୍ଜର ଭାବେ ୨୦୧୪ରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । କିନ୍ତୁ ଦୁର୍ବ୍ୟବହାର ଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଥିଲା । ବ୍ୟାଙ୍କର ମେସେଞ୍ଜର ଚାକିରି ହରାଇବା ପରେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା । ତେଣୁ ସେ ବ୍ୟାଙ୍କରୁ ସୁନାଗହଣା ଲୁଟ୍ କରିବାକୁ ଉପାୟ ଚିନ୍ତା କରିଥିଲେ ।
ନିଜ ଯୋଜନା ମୁତାବକ ଗତ ବର୍ଷ ନଭେମ୍ବର ୧୧ ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ଶେଖର ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ ଭିତରେ ଏଣେତେଣେ ବୁଲିଥିଲେ । ସୁବିଧା ଦେଖି ସେ ବ୍ୟାଙ୍କର ସର୍ଭର ରୁମକୁ ପଶି ସେଠାରେ ନିଜକୁ ଆବଦ୍ଧ କରି ରଖିଥିଲେ । ରାତିରେ ମ୍ୟାନେଜର ଓ ଅନ୍ୟ କର୍ମଚାରୀ ବ୍ୟାଙ୍କ କାମ ସାରି ଘରକୁ ପଳାଇବା ପରେ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଥିଲା ଶେଖର ।