ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ମିଳିଲାନି ଟିକେଟ୍ !

ପଞ୍ଜାବରେ ହାଟରେ ପଡି ଘାଟରେ ଗଡୁଛି ଦଳୀୟ କନ୍ଦଳ । ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ଭାଇଙ୍କୁ ପ୍ରାର୍ଥୀ ପାଇଁ ଟିକେଟ ଦେଲା ନାହିଁ କଂଗ୍ରେସ । ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ହୋଇଛି । ସେଥିରେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରୁ ଅନେକକଙ୍କ ନାମ ବାଦ ଦିଆଯିବାକୁ ନେଇ ଏବେ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

୧୧୭ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୧୪ରେ ନିର୍ବାଚନ ହେବ । ଏଣୁ ଶନିବାର ପଞ୍ଜାବ କଂଗ୍ରେସ ତରଫରୁ ବିଧାନସଭା ନିର୍ବାଚନ ପାଇଁ ୮୬ ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ଚମକୌର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ଓ ସିଦ୍ଧୁ ଅମୃତସର ଆସନରୁ ନିର୍ବାଚନ ଲଢିବେ । ଏହା ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ନାନକ ଆସନରୁ ନିର୍ବାଚନ ଲଢିବେ ।
ତେବେ ଦଳୀୟ ପ୍ରାର୍ଥୀ ଘୋଷଣାବେଳେ ଚଳିତ ଥର ଖୋଦ୍ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଭାଇ ମନୋହର ସିଂଙ୍କୁ ଟିକେଟ ମିଳି ନାହିଁ । ମନୋହର ସିଂ ନିକଟରେ ସରକାରୀ ଡାକ୍ତର ପଦବୀ ଛାଡ଼ି ରାଜନୀତିକୁ ପ୍ରବେଶ କରିଥିଲେ । ସେ ବର୍ସି ପଠାନ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ସେଠାରେ ଦଳ ଗୁରୁପ୍ରୀତ ସିଂଙ୍କ ଉପରେ ଭରଷା ରଖି ତାଙ୍କୁ ଟିକେଟ ପ୍ରଦାନ କରିଛି । ଅନ୍ୟପଟେ ପଞ୍ଜାବ ବିଧାନସଭା ପାଇଁ କଂଗ୍ରେସ ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମନସା, ମୋଗା, ମଲୋଟ ଓ ବର୍ସି ପଠାନ ସହିତ ଅନେକ ବିଧାନସଭା କ୍ଷେତ୍ରରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି ।

ଦଳଠାରୁ ନିରାଶ ହେବା ପରେ ମନୋହର ସ୍ୱାଧୀନରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ବାକି ୩୧ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଉଥିବାବେଳେ ଆଗାମୀ ଦିନରେ ଦଳୀୟ କନ୍ଦଳ ଉଗ୍ରରୂପ ଧାରଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶିତ ।