ଲକ୍ଷଣ ନଥିଲେ କରୋନା ଟେଷ୍ଟ ଦରକାର ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନାର ତୃତୀୟ ଲହର ସାଙ୍ଗକୁ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏ ନେଇ ଲୋକମାନେ ଏବେ ଭୟଭୀତ ହୋଇ ନିଜର କୋଭିଡ ଟେଷ୍ଟ ପାଇଁ ଡାକ୍ତରଖାନାରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଏ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ତୃତୀୟ ଲହରରେ ଆଜି ସୁଦ୍ଧା ୬୧ ହଜାର ପଜିଟିଭଙ୍କ ମଧ୍ୟରୁ ମାତ୍ର ୧୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟରେ ହସ୍ପିଟାଲାଇଜେସନ ୨ ପ୍ରତିଶତରୁ ବି କମ୍ ରହିଛି । ଆଇସିୟୁରେ ଅଛନ୍ତି ୩୫୦ରୁ ୩୬୦ ଆକ୍ରାନ୍ତ । ତେଣୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନ ଥିଲେ ଟେଷ୍ଟିଂ ଆବଶ୍ୟକତା ନାହିଁ । ଏନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି ସେ ମତ ଦେଇଛନ୍ତି ।
ତେବେ ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାୟୋଟିକ୍ ଆବଶ୍ୟକ ନାହିଁ । ଏଣୁ ଯାହାର ଲକ୍ଷଣ ନାହିଁ ସେମାନଙ୍କୁ ଅଯଥା ମେଡିସିନ୍ ବ୍ୟବହାର ଆବଶ୍ୟକ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଛନ୍ତି ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଙ୍ଗରୋଧ ଅବଧୀ ସରିବା ପରେ ଆରଟିପିସିଆରର ଆବଶ୍ୟକତା ନାହିଁ । କେବଳ ଯେଉଁମାନେ ଆଇସିୟୁରେ ରହୁଛନ୍ତି, ଗୁରୁତର ହେଉଛନ୍ତି ସେମାନଙ୍କର ସୁସ୍ଥ ହେବା ପରେ ଟେଷ୍ଟ କରାଯାଉଛି ।