ଆହୁରି ଥରାଇବ ଶୀତ ଲହରୀ !

ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୪/୫ ଦିନ ହେବ, ରାଜ୍ୟରେ ପଶ୍ଚିମା ଝଡ଼ ଯୋଗୁଁ ପାଗ କୋହଲା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ବି ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିପାରେ । ସେହିପରି ବାକି ସହରରେ ମଧ୍ୟ ପାରଦ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗତ ୨୪ଘଣ୍ଟାରେ ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସର୍ବାଧିକ ବର୍ଷା ରାୟଗଡ଼ା ଜିଲ୍ଲା କୋତ୍ରାଗୁଡ଼ାରେ ୬୫.୬ ମିମି ରେକର୍ଡ ହୋଇଛି । ବର୍ଷା ଯୋଗୁଁ ସର୍ବନିମ୍ନ ରାତ୍ରି ତାପମାତ୍ରାରେ ବୃଦ୍ଧି ପାଇଛି । ସମତଳ ଅଞ୍ଚଳଗୁଡ଼ିକରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଲାଙ୍ଗୀର ଓ ପାରଳାଖେମୁଣ୍ଡିଠାରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୧୧ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ । ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ । ୧୭ ଓ ୧୮ତାରିଖ ଆଡ଼କୁ ଘନକୁହୁଡ଼ି ହୋଇପାରେ ବୋଲି ସୂଚନା ମିଳିଛି ।