ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇଛି । ଚଳିତ ବର୍ଷ ଫେବୃୟାରୀ ୨୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା । ତାଙ୍କର କାର୍ଯ୍ୟକାଳ ବଢ଼ାଇବା ପାଇଁ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାରଙ୍କ ଅନୁମତି ପରେ ଫେବୃୟାରୀ ୨୮ ତାରିଖ ପରେ ଆଉ ୬ ମାସ ବୃଦ୍ଧି ପାଇଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । କରୋନା ମୁକାବିଲା ଏବଂ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଦିଗରେ ଗୁରୁତ୍ୱ ଦେଇଥିଲେ । ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରୀ ୧ ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ, ୧୯୯୨ ଡିସେମ୍ବର ୧ରେ ବିଜୁ ପଟ୍ଟନାୟକ ସରକାରରେ ମୁଖ୍ୟ ସଚିବ ଭାବେ ଆରଏନ୍ ଦାସ କାର୍ଯ୍ୟ କରିଥିଲେ । ଯାହାଙ୍କ ଚାକିରି ଅବଧିକୁ ସେତେବେଳେ ୩ଥର ବୃଦ୍ଧି କରାଯାଇଥିଲା । ଶ୍ରୀ ଦାସ ହିଁ ଓଡ଼ିଶାର ଶେଷ ମୁଖ୍ୟ ସଚିବ ଥିଲେ, ଯାହାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା ଓ ଏବେ ପ୍ରାୟ ୨୭ବର୍ଷ ପରେ ମୁଖ୍ୟ ସଚିବ ଭାବେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ପାଇଛି । ଅପରପକ୍ଷେ ପ୍ରଥମଥର ପାଇଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସୁପାରିସ୍ କରିଥିଲେ ।