ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେଲା ସାନି ଗାଇଡଲାଇନ

ନିର୍ବାଚନ ପ୍ରଚାର ପାଇଁ ଏସଆରସି ନିଜର ୫ତାରିଖର ନିର୍ଦ୍ଦେଶନାମାକୁ ବଦଳାଇ କରୋନା କଟକଣାକୁ କଠୋର କରିବା ସହ ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ୫ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୈତିକ କାର୍ଯ୍ୟକ୍ରମ, ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ ଜଣ ଅବା କୋଠରୀରେ ସିଟ୍ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିଲା । କିନ୍ତୁ ନିର୍ବାଚନ କମିଶନରଙ୍କ ଚିଠି ପରେ ଏସଆରସି ଆଜି ପୂର୍ବର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ସାନି ଗାଇଡଲାଇନ୍ ଜାରି କରିଛନ୍ତି ।
ଏଥିରେ ବଡଧରଣର ସମାବେଶ ଉପରେ କଟକଣା ଲଗାଯିବା ସହ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ ହେବା ସହ ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଇଛି । ଏହା ସହ ପ୍ରଚାର ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଜରୁରୀ କରାଯାଇଛି ।
ଅପରପକ୍ଷେ କରୋନା ସଂକ୍ରମିତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ପ୍ରଚାର କରିପାରିବେ ନାହିଁ । ଡିଜିଟାଲ କିମ୍ବା ଭର୍ଚୁଆଲ ଜରିଆରେ ହିଁ ହୋଇପାରିବ ପ୍ରଚାର । ରୋଡ ଶୋ, ପଦ ଯାତ୍ରା, ସାଇକେଲ ରାଲି, ବାଇକ ରାଲି ହୋଇପାରିବ ନାହିଁ । ଏବଂ ବିଜୟ ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି । ବିଜୟୀ ପ୍ରାର୍ଥୀଙ୍କ ସହ ରହିବେ ସର୍ବାଧିକ ୨ ଜଣ ।
ଲୋକଙ୍କ ଗହଳି ହ୍ରାସ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ବ୍ଲକ ମୁଖ୍ୟାଳୟରେ ଅଧିକ ସଂଖ୍ୟକ ଭୋଟଗଣତି କେନ୍ଦ୍ର କରିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବେ । ସେହିପରି ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ଓ ତାଙ୍କ ପ୍ରସ୍ତାବକ ଉଭୟ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ କରି ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବେ । ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇପାରିବେ ନାହିଁ ।
ଏସବୁ ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଆଧାରରେ ସମ୍ପୃକ୍ତ କର୍ମୀ ଦଣ୍ଡିତ ହେବେ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ଏହାସହିତ ଜାନୁୟାରୀ ୧୦ତାରିଖରେ ରାଜ୍ୟ ନିର୍ବାଚନ କମିଶନର ଜାରି କରିଥିବା କୋଭିଡ ଗାଇଡଲାଇନକୁ ପଂଚାୟତ ନିର୍ବାଚନ ପରିଚାଳନାବେଳେ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।