ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ, ଜାଣନ୍ତୁ କେବେ ହେବ ମତଦାନ ଏବଂ କେବେ ପ୍ରକାଶିତ ହେବ ଫଳାଫଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନର ବ୍ୟବଧାନ ରହିବ । ଏ ନେଇ ତାରିଖ ଘୋଷିତ ହୋଇଛି । ଫେବୃୟାରୀ ୧୬, ୧୮, ୨୦ ,୨୨ ଓ ୨୪ରେ ହେବ ନିର୍ବାଚନ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏହାପରେ ଆଜିଠୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।
ରାଜ୍ୟ ନିର୍ବାଚନ କମିଶନର ଦେଇଥିବା ସୂଚନା ଅନୁଯାୟୀ, ଚଳିତଥର ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ପରେ ୨୫ ଜାନୁଆରୀରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ତେବେ ଚଳିତ ନିର୍ବାଚନରେ ଭୋଟ୍ ଦେବେ ୨ କୋଟି ୭୯ ଲକ୍ଷ ଭୋଟର୍ । ମୋଟ୍ ଓ୍ୱାର୍ଡ ସଂଖ୍ୟା ୯୧,୯୧୩ ଥିବା ବେଳେ ୬,୭୯୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପାଇଁ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମଧ୍ୟ ମତଦାନ ହେବ । ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ନିଜ ସଂପତ୍ତି ତାଲିକା, ଅପରାଧ ମାମଲାର ବିବରଣୀ ଦେବେ । ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦାଖଲ କରିବେ । ଓ୍ୱାର୍ଡମେମ୍ବର ପ୍ରାର୍ଥୀ ସେଲ୍ଫ ଡିକ୍ଲାରେସନ୍ ଜରିଆରେ ଏସବୁ ତଥ୍ୟ ଦେବେ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଜାତିଗତ ସାର୍ଟିଫିକେଟ୍ ଦେବେ । ଏଥିରେ କୌଣସି ପ୍ରାର୍ଥୀଙ୍କ ସତ୍ୟପାଠ ମିଥ୍ୟା ପ୍ରମାଣିତ ହେଲେ ତା’ଙ୍କୁ ଦଣ୍ଡିତ କରାଯିବ ।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ । କେବଳ ଡିଜିଟାଲ, ଭର୍ଚୁଆଲ ମିଡିଆରେ ପ୍ରଚାର କରିବାକୁ କୁହାଯାଇଛି । କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ସେହିଭଳି ରୋଡ ସୋ ଉପରେ ରୋକ ଲଗାଯାଇଥିବା ବେଳେ କେବଳ ୫ ଜଣଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ । ଉଭୟ ଡୋଜ କୋଭିଡ ଟିକା ନେଇଥିବା ତଥା ଆରଟିପିସିଆର ରିପୋର୍ଟ ଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।