ଓଡିଶା ମନୋରଞ୍ଜନ

‘ତୋ ବିନା ଭଲ ଲାଗେନା’ …

ମିହିର ଦାସ । କେବଳ ନାମ ହିଁ ଯଥେଷ୍ଟ । ଓଡିଆ ଚଳଚିତ୍ର ଜଗତର ଖୋଲା ଆକାଶର ଉଜ୍ବଳମୟ ତାରକା ଥିଲେ ସେ । ଛୋଟ ପରଦା ହେଉ କି ବଡ ପରଦା ସବୁଠି ରହିଥିଲା ତାଙ୍କର କ୍ରେଜ୍ । ଲୋକେ ତାଙ୍କୁ ଯେ କେବଳ ନାୟକ ରୂପରେ ଗ୍ରହଣ କରିଛନ୍ତି ତାହା ନୁହେଁ ସେ ଖଳନାୟକ ଭୂମିକା ହେଉ ଅବା କମେଡିଆନ ସବୁ ଚରିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଲୋକଙ୍କ ହୃଦୟକୁ ଜିଣିପାରିଛି । ଦର୍ଶକଙ୍କ ମନରେ ଆଜିବି ଗୋଟିଏ ପ୍ରଶ୍ନ ରହିଛି ଯେ, ମିହିର ଦାସଙ୍କୁ ନାୟକ କୁହାଯିବ ନା ଖଳନାୟକ ? କମେଡିଆନ୍ କୁହାଯିବ ନା ଜଣେ ଭଲ ଅଭିନେତା ? କାରଣ ସବୁ ଚରିତ୍ରକୁ ଅତି ନିଖୁଣତାର ସହ ଅଭିନୟ କରିପାରନ୍ତି ଓଲିଉଡର ଏହି ଭେଟେରାନ୍ କଳାକାର ।

ଦୀର୍ଘ ୪ ଦଶନ୍ଧି ଧରି ନିଜ କଳା ଓ ଅଭିନୟର ଯାଦୁଗରୀରେ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି ସେ । କେବେ କାକା ହୋଇ ‘ଅଭିମନ୍ୟୁ’କୁ ବୁଝାଇଛନ୍ତି ପୁଣି କେବେ ‘ପୁଅ ଭୋଳାଶଙ୍କର ହୋଇ’ ମାଆର ପଣତକାନୀରେ ମୁହଁ ପୋଛିଛନ୍ତି । କେବେ ‘କ୍ରିଷ୍ଣା କାବେରୀ’ ସିନେମାରେ କାବେରୀ ସ୍ନେହରେ ବାନ୍ଧି ହୋଇଛନ୍ତି ପୁଣି କେବେ ‘ରାଖି ବାନ୍ଧିଲି ମୋ ରଖିବ ମାନ’ରେ ଭଉଣୀକୁ ରାଖିର ମାନ ଦେଇଛନ୍ତି । ତ କେବେ ସିଲଭର ସିଟି ‘କଟକ’ ସହରରେ ଚଲାଇଥିଲେ ରାଜୁତି ।

ମଥୁରା ବିଜୟରୁ କ୍ୟାରିଅର ଆରମ୍ଭ କରିଥିବା ଭେଟେରାନ୍ ଅଭିନେତା ମିହିର ଦାସ ଆଜି ୬୩ ବର୍ଷ ବୟସରେ ‘ଜୀବନ ମୃତ୍ୟୁ’ର ଯୁଦ୍ଧରେ ପରାଜୟ ହୋଇଯାଇଛନ୍ତି । ଦୀର୍ଘଦିନରୁ କିଡନୀ ଓ ହୃଦରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ କିନ୍ତୁ ନିକଟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଥିଲା । ହେଲେ ଏହି ‘ହସ ଲୁହ ଭରା ଦୁନିଆ’ରେ ‘ଭାଗ୍ୟ ହାତେ ରହିଛି ଡୋରି’ । ଶେଷରେ ସମୟର ଚକାଭଉଁରୀ ଖେଳରେ ହାରିଗଲେ ମିହିର ଦାସ ।

ଅଭିନୟର ଦୁର୍ବଳତା ତାଙ୍କୁ ନିଜ ଜିଲ୍ଲା ମୟୁରଭଞ୍ଜରୁ ଟାଣିଆଣିଥିଲା କଟକ । ଆଉ ସିଲଭର ସିଟି କଟକ ମିହିରଙ୍କୁ ବନେଇଦେଲା ଓଲିଉଡର ହୀରା । ଜୀବନର ଯାତ୍ରାରେ କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କ ହାତ ଧରିଥିଲେ ମିହିର, କିନ୍ତୁ ୨୦୧୦ ମସିହାରେ ମିହିରଙ୍କ ହାତଛାଡି ସେ ଆରପାରିକୁ ଚାଲିଯାଇଥିଲେ । ଏକାକୀ ପୁଅ ତଥା ଅଭିନେତା ଅମ୍ଳାନଙ୍କୁ ଶିଶୁରୁ ବଡ଼ କରିଥିଲେ ମିହିର । ଯେଉଁଥିପାଇଁ କେବଳ ପରଦାରେ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ସେ ଜଣେ ଭଲ ବାପା ଥିଲେ । ଆଜି ତାଙ୍କର ଦେହାନ୍ତରେ କେବଳ ମିହିରଙ୍କ ପରିବାର କିମ୍ୱା ଓଲିଉଡ୍ ନୁହେଁ, କାନ୍ଦୁଛି ପୁରା ଓଡ଼ିଶା, ଝୁରୁଛି ସିନେମା ହଲ୍ । 

୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ମିହିର ଦାସ । ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ରାଜନୀତିକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ । ପରେ ସେ ବିଜେଡି ପରିତ୍ୟାଗ କରି ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ।

ମିହିର ଦାସ ନିଜର ବଳିଷ୍ଠ ଅଭିନୟ ପାଇଁ ଅନେକ ଥର ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ‘ଲକ୍ଷ୍ମୀ ପ୍ରତିମା’, ୨୦୦୫ରେ ଫିଲ୍ମ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ସେ ବେଷ୍ଟ ଆକ୍ଟର ପୁରସ୍କାର ଜିତିଥିଲେ । ତା ସହିତ ୨୦୦୨ରେ ନିର୍ମାଣ ହୋଇଥିବା ଫିଲ୍ମ ‘ରାଖି ବାନ୍ଧିଲି ମୋ ରଖିବ ମାନ’ ଓ ଫିଲ୍ମ ‘ପ୍ରେମ ଅଢେଇ ଅକ୍ଷର’ ପାଇଁ ସେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ମଧ୍ୟ ସମ୍ମାନିତ ହୋଇଥିଲେ ।

ତାଙ୍କର ଅକାଳ ବିୟୋଗ ଓଡିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଯାହାକୁ କେହି ବି କେବେ ହେଲେ ପୂର୍ଣ୍ଣ କରିପାରିବେ ନାହିଁ । ତାଙ୍କ ଅବର୍ତ୍ତମାନରେ ସେହି ଉଜ୍ବଳତମ ପ୍ରତିବାକୁ ଶତ କୋଟି ପ୍ରଣାମ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା