ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ତ୍ରୁଟି ଘଟଣା, ପୂରା ମାମଲା ଏବେ ସୁପ୍ରିମକୋର୍ଟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟି ଘଟଣାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି । ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକଯୁଦ୍ଧ ଚାଲିଥିବା ବେଳେ ପୂରା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।
ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ପ୍ରସ୍ତୁତ, ଏବଂ ଆସନ୍ତାକାଲି ଏହାର ଶୁଣାଣି କରିବେ । ପଞ୍ଜାବ ସରକାରଙ୍କୁ ଏହି ପିଟିସନର ଏକ ନକଲ ହସ୍ତାନ୍ତର କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି । ଅପରପକ୍ଷେ ବିବାଦ ବଢୁଥିବାରୁ ପଞ୍ଜାବ ସରକାର ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ପ୍ୟାନେଲ ଗଠନ କରିଛନ୍ତି । କେଉଁ କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରୋଟକଲରେ ତ୍ରୁଟି ଦେଖାଗଲା, ତା’ର କାରଣ ଏହି ପ୍ୟାନେଲ ଖୋଜିବ ଏବଂ ୩ ଦିନ ଭିତରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ । ପଞ୍ଜାବ ସରକାର ଗଠନ କରିଥିବା ଦୁଇ ଜଣିଆ କମିଟିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ଗିଲ ଓ ଗୃହ ଏବଂ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅନୁରାଗ ବର୍ମା ରହିଛନ୍ତି ।
ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ଦେଶର ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି, ଯେତେବେଳେ ଭାରତୀୟ ଜନତା ପାର୍ଟି ଏହାକୁ “ଅପ୍ରତ୍ୟାଶିତ” ଏକ “ଷଡ଼ଯନ୍ତ୍ର” ବୋଲି କହିଥିଲା ଏବଂ କଂଗ୍ରେସରେ ‘ରକ୍ତାକ୍ତ’ ଉଦ୍ଦେଶ୍ୟ ବିଫଳ ବୋଲି ଦାବି କରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅନ୍ୟ କେତେକ ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସୂଚନା ଅନୁସାରେ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ପହଞ୍ଚିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ । ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା । କିନ୍ତୁ ଖରାପ ପାଣିପାଗ ଯୋଗୁଁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍ରେ ଅଟକି ଯାଇଥିଲା ।
ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ ରୁ ୨୦ ମିନିଟ୍ ଅଟକି ରହିଥିଲା । ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍ରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା । ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି । ଏଥିପାଇଁ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଜବାବ ତଲବ କରିଛି ।
ପ୍ରୋଟକଲ ଅନୁଯାୟୀ, ରାଜ୍ୟ ସରକାର ଯେଉଁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିବା କଥା, ସେମିତି କରି ନଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ମାର୍ଗକୁ ମଧ୍ୟ କ୍ଲିୟର କରାଯିବାକୁ କୌଣସି ପଦକ୍ଷେପ ରାଜ୍ୟ ପୋଲିସ ନେଇନଥିଲା । ତେଣୁ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ କହିଛନ୍ତି ।