ସଂଘର୍ଷମୟ ଜୀବନରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସିନ୍ଧୁତାଇ… ଆରପାରିରେ ପ୍ରଖ୍ୟାତ ସମାଜସେବୀ ତଥା ଅନାଥଙ୍କ ମା’ ତଥା ପଦ୍ମଶ୍ରୀ ସିନ୍ଧୁତାଇ

ପରଲୋକରେ ପ୍ରଖ୍ୟାତ ସମାଜସେବୀ ତଥା ଅନାଥଙ୍କ ମା’ ତଥା ପଦ୍ମଶ୍ରୀ ସିନ୍ଧୁତାଇ ସପକାଲ । ମଙ୍ଗଳବାର ୭୩ ବର୍ଷ ବୟସରେ ତାଙ୍କର ମହାପ୍ରୟାଣ ହୋଇଛି । କିଛି ଦିନ ହେବ ଅସୁସ୍ଥ ଥିବା ସିନ୍ଧୁତାଇଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଥିବା ସୂଚନା ମିଳିଛି ।
ମହାରାଷ୍ଟ୍ରର ‘ମଦର ଟେରେସା’ ଭାବେ ଜଣାଶୁଣା ଥିଲେ ସିନ୍ଧୁତାଇ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଅନାଥ ପିଲାଙ୍କ ସେବାରେ ବିତାଇଥିଲେ । କାନ୍ଦୁଥିବା ପିଲାକୁ ଯିଏ ହସେଇପାରେ, ବେସାହାରା ପିଲାଙ୍କୁ ଯିଏ କୋଳେଇ ନେଇପାରେ, ଭୋକରେ ଡହଳ ବିକଳ ହେଉଥିବା ପିଲାଙ୍କ ମୁହଁରେ ଯିଏ ଦି ମୁଠା ଦାନା ଦେଇପାରେ, ସେ ହେଉଛନ୍ତି ମହାରାଷ୍ଟ୍ର ପୁନେର ସିନ୍ଧୁତାଇ ସପକାଲ । ଦିନେ ଦୁଃଖ କଷ୍ଟ ସହିତ ନିଜେ ସଂଗ୍ରାମ କରୁଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ପାଖାପାଖି ୧୫ ଶହରୁ ଅଧିକ ଅନାଥ ପିଲାଙ୍କ ଖୁସି ପାଇଁ କାମ କରିଥିଲେ, ଏବଂ ତାଙ୍କ ମାଆ ହୋଇପାରିଥିଲେ । ତେବେ ତାଙ୍କର ଏହି ଅନବଦ୍ୟ କାର୍ଯ୍ୟ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ପଦ୍ମ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ଭିନ୍ନ ଧରଣର ସଂଘର୍ଷରେ ଭରା । ମାତ୍ର ୧୨ ବର୍ଷ ବୟସରୁ ସେ ବିବାହ କରିଥିବାବେଳେ ୨୦ ବର୍ଷ ବେଳକୁ ସେ ଚାରୋଟି ସନ୍ତାନର ଜନନୀ ହୋଇଥିଲେ । ସିନ୍ଧୁତାଇଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ସ୍ବାମୀ ତାଇଙ୍କୁ ଘରୁ ବାହାର କରିଦେଇଥିଲେ । ଗର୍ଭାବସ୍ଥାରେ ତାଙ୍କୁ ଯେଉଁ ରାତିରେ ଘରୁ ବାହାର କରାଗଲା ସେହି ରାତିରେ ସେ ଗୋଟେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସ୍ବାମୀ ତ ଆଶ୍ରୟ ଦେଲାନି । ମନରେ ଆଶା ରଖି ନିଜ ବାପ ଘରକୁ ଗଲେ ହେଲେ ସେଠି ବି ତାଙ୍କୁ ନିରାଶ ହେବାକୁ ପଡିଲା । ତାଙ୍କୁ ଆପଣେଇବାକୁ ପରିବାର ଲୋକେ ମଧ୍ୟ ମନା କରିଦେଲେ । ଦାନା ମୁଠେ ତ ଦୂରର କଥା ଆହା ପଦେ କହିବାକୁ ବି ସିନ୍ଧୁତାଇଙ୍କ ପାଖରେ କେହି ନଥିଲେ । ନବଜାତର ପେଟକୁ ଖାଦ୍ୟ ଦେବା ପାଇଁ ଷ୍ଟେସନରେ ଭିକ ମାଗିଥିଲେ ସିନ୍ଧୁତାଇ । ହେଲେ ସେଠାରୁ ତାଙ୍କୁ ତଡା କାଇବାକୁ ପଡିଥିଲା । ପରିସ୍ଥିତି ଏପରି ମଧ୍ୟ ହେଲା ଯେ ମଶାଣି ତାଙ୍କ ପାଇଁ ଘର ପାଲଟିଯାଇଥିଲା । ଏପରିକି ସେ ଜଳୁଥିବା ଜୁଇର ନିଆଁରେ ରୁଟି ସେକି ଖାଇଥିଲେ । ନିଜ କଅଁଳା ଶିଶୁର ମୁହଁକୁ ଚାହିଁ ସେ ପାଇଥିଲେ ବଞ୍ଚିବାର ରାହା । ଆଉ ଅନାଥ ପିଲାଙ୍କୁ ଆପଣାଇ ସେମାନଙ୍କୁ ମମତାର ସଂଜିବନୀ ସିଞ୍ଚି ମଣିଷ କରିବାକୁ ପଣ କରିଥିଲେ ।
ସେହିଦିନ ସେ ବୁଝିଥିଲେ ଅନାଥ, ବେସାହାରା ଓ ଗରିବ ପିଲାଙ୍କ ଅବସ୍ଥା । ସେବେଠାରୁ ନିଜ ଜୀବନ ସମର୍ପି ଦେଇଥିଲେ ଅନାଥ ପିଲାଙ୍କ ପାଇଁ । ସ୍ଥାପନା କଲେ ସନମତି ବାଲ ନିକେତନ । ଏହି ଅନାଥ ପିଲାଙ୍କ ପାଇଁ ଦିନ ରାତି କଷ୍ଟ କରି ଟଙ୍କା ସଞ୍ଚୟ କଲେ । ଧୀରେ ଧୀରେ ଲୋକେ ତାଙ୍କ ଏହି ଭଲ କାମ ବିଷୟରେ ଜାଣିଲେ ଆଉ ସାହାଯ୍ୟ କରିବା ଆରମ୍ଭ କଲେ । ସିନ୍ଧୁତାଇଙ୍କ ଦିନ ଆରମ୍ଭ ହୁଏ ପିଲାଙ୍କ ଦେଖା ଚାହାଁରୁ । ପିଲାଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ପାଠ ପଢିବା ସବୁ ଦାୟିତ୍ବ ନିଅନ୍ତି ସିନ୍ଧୁତାଇ । ଦିନେ ଯାହାର କେହି ନଥିଲେ ଆଜି ତାଙ୍କ ଘରେ ଶହ ଶହ ପିଲା । ସିନ୍ଧୁତାଇଙ୍କୁ ମାଆ ରୂପେ ପାଇବା ଭାଗ୍ୟର କଥା ବୋଲି ଏହି ପିଲାମାନେ ମାନନ୍ତି । ତାଙ୍କର ସମାଜ ସେବା ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପ୍ରଶଂସା ।
ସିନ୍ଧୁତାଇ ମାତ୍ର ୪ର୍ଥ ଶ୍ରେଣୀ ପାସ କରିଛନ୍ତି । କିନ୍ତୁ ନିଜ ଆଶ୍ରମରେ ସେ ଯେଉଁ ଅନାଥ ପିଲାଙ୍କୁ ସାହାରା ଦେଇଛନ୍ତି ସେମାନେ ଆଜି ଡକ୍ଟର, ଇଞ୍ଜିନିୟର ହୋଇସାରିଲେଣି । ତାଙ୍କର ଏହି ଅବଦାନ ପାଇଁ ସିନ୍ଧୁତାଇ ୨ ଶହରୁ ଅଧିକ ଆୱାର୍ଡ ପାଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ତାଙ୍କ ତ୍ୟାଗ ଓ ବଳିଦାନର ପ୍ରଶଂସା । ସିନ୍ଧୁତାଇଙ୍କ ଜୀବନ କାହାଣୀକୁ ନେଇ ଏକ ମରାଠୀ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇଛି । ସିନ୍ଧୁତାଇଙ୍କ ପରେ ତାଙ୍କ ଝିଅ ମମତା ତାଙ୍କ ମାଆଙ୍କ ଲକ୍ଷ୍ୟକୁ ଆଗକୁ ବଢାଉଛନ୍ତି ।