ସିଲ୍ ହେଲା ଭୁବନେଶ୍ୱର ଡିସିପି ଅଫିସ

ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ହେଲା କଣ୍ଟେନମେଣ୍ଟ ଜୋନ୍ । ଏକାଧିକ ପଜିଟିଭ ଚିହ୍ନଟ ପରେ ଡିସିପି ଅଫିସକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ (BMC) । ଆଜି ଓ ଆସନ୍ତା କାଲି ୨ ଦିନ ପାଇଁ ଅଫିସକୁ ସିଲ୍ କରିଛି ବିଏମ୍ସି । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ।
ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଏମ୍ସି । ଡିସିପି କାର୍ଯ୍ୟାଳୟର ପ୍ରାୟ ୧୦ରୁ ଅଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏବେ କାର୍ଯ୍ୟାଳୟ ଭିତରକୁ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏଥିସହ ଭିତରେ ଯେଉଁ କର୍ମଚାରୀ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଉଛି ।
ସୂଚନା ଅନୁସାରେ, ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ଅପରପକ୍ଷେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ସମେତ ଅନ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିବେ ।