ଓଏନଜିସି ତୈଳ କମ୍ପାନୀର ଅଧ୍ୟକ୍ଷ ହେଲେ ଜଣେ ମହିଳା, ଦେଶର ଇତିହାସରେ ପ୍ରଥମ

ଦେଶର ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି । ଓଏନଜିସିର ଚେୟାରମ୍ୟାନ୍ ତଥା ପରିଚଳନା ନିର୍ଦ୍ଦେଶକ ଶଶୀ ଶଙ୍କର ମାର୍ଚ୍ଚ ୩୧, ୨୦୨୧ରୁ ଅବସର ନେବା ପରେ ଏହି ସ୍ଥାନରେ ସୁଭାଷ କୁମାରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ । ତେବେ ସେ ମଧ୍ୟ ୨୦୨୧ ଡିସେମ୍ବର ୩୧ରେ ଅବସର ନେଇଥିଲେ । ଏବେ ତାଙ୍କ ସ୍ଥାନରେ ଡ. ଅଳକା ମିତ୍ତଲ ନିଯୁକ୍ତି ପାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦ୍ୱିତୀୟ ମହିଳା ଭାବେ କୌଣସି ତୈଳ କମ୍ପାନୀର ମୁଖିଆ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । କାରଣ ୨୦୧୪ରେ ପ୍ରଥମ ମହିଳା ଭାବେ ନିଶି ବାସୁସେବା ହିନ୍ଦୁସ୍ତାନ ପେଟ୍ରୋଲିୟମର ଅଧ୍ୟକ୍ଷ ହୋଇଥିଲେ । ଡ. ଅଳକା ମିତ୍ତଲ ଏବେ କମ୍ପାନୀର ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ୬ ମାସ ପାଇଁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଡ. ଅଳକା ମିତ୍ତଲ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ଓ ବାଣିଜ୍ୟ ପାଠ୍ୟକ୍ରମରେ ଡକ୍ଟରେଟ ହାସଲ କରିଛନ୍ତି । କମ୍ପାନୀର ୱେବସାଇଟ୍ ଅନୁଯାୟୀ ମିତ୍ତଲ ୧୯୮୫ରେ ଗ୍ରାଜ୍ୟୁଏଟ ଟ୍ରେନି ଭାବେ ଓଏନଜିସିରେ ଯୋଗ ଦେଇଥିଲେ ।
୨୦୧୮ ମସିହା ନଭେମ୍ବର ମାସରୁ ସେ ଓଏନଜିସିରେ ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଓଏନଜିସି ଇତିହାସରେ ପ୍ରଥମ ମହିଳା ଭାବେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି । ଏଚଆର ନିର୍ଦ୍ଦେଶକ ହେବା ପୂର୍ବରୁ ମିତ୍ତଲ ଓଏନଜିସିରେ ଦକ୍ଷତା ବିକାଶ ବିଭାଗର ମୁଖ୍ୟ ଥିଲେ । ଦକ୍ଷତା ବିକାଶ ମୁଖ୍ୟ ହେବା ପୂର୍ବରୁ ସେ କମ୍ପାନୀର କର୍ପୋରେଟ ଅଫିସରେ ସିଏସ୍ଆର୍ ମୁଖ୍ୟ ଭାବେ ମଧ୍ୟ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ ।