ଅବହେଳିତ ଅବସ୍ଥାରେ ରାଜ୍ୟର ଶୀତଳଭଣ୍ଡାର…ଏପଟେ ହୋର୍ଡିଂରେ ଚାଷୀଙ୍କ ବିକାଶ ଚିତ୍ର

ସର୍ବପୁରାତନ ତଥା ସର୍ବବୃହତ ଶୀତଳ ଭଣ୍ଡାର ଏବେ ପାଲଟିଛି ଭୂତକୋଠି । ସରକାରୀସ୍ତରରେ ଏହାର ପୁନରୁଦ୍ଧାର ହେଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ବାରମ୍ବାର ଗୁହାରୀ କରିଛନ୍ତି ଚାଷୀ । ହେଲେ ସରକାରଙ୍କ ଅଭାବୀ ମନୋବଳ ଯୋଗୁଁ ଆଜି ଯାଏଁ ଏହାର ପୁନରୁଦ୍ଧାର ହୋଇପାରିଲା ନାହିଁ । କଟକ ଜିଲ୍ଲାସ୍ଥିତ କଟକ ସଦର ବ୍ଲକ ଅନ୍ତର୍ଗତ ୪୨ମୌଜା ଅଞ୍ଚଳର ଦଧିବାମନ ପୁରରେ ଥିବା ଶୀତଳ ଭଣ୍ଡାରଟି ୧୯୯୯ ମସିହାରୁ ଅଚଳ ହୋଇ ପଡ଼ିରହିଛି । ଫଳରେ ଶହ ଶହ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଆଳୁ ଚାଷୀ । ଶୀତଳ ଭଣ୍ଡାର ନ ଥିବାରୁ ଆଳୁ ଅମଳ ବେଳେ ଚାଷୀ ବେପାରୀଙ୍କୁ ଶାଗ ମାଛ ଦରରେ ଆଳୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଫଳରେ ଅମଳ ଦିନମାନଙ୍କରେ ମଧ୍ୟ ଆଳୁର ଗୁରୁତର ଅଭାବ ଅନୁଭବ ହୋଇଥାଏ । ଦିନ ଥିଲା ରାଜ୍ୟରେ ସର୍ବବୃହତ ଶୀତଳଭଣ୍ଡାରର ମାନ୍ୟତା ପାଇଥିଲା ୪୨ମୌଜା ଆଳୁ ସଂରକ୍ଷଣ କେନ୍ଦ୍ର । ଏଠାରେ ତିନି ହଜାର ମେଟ୍ରିକ୍ ଟନ୍ ଆଳୁ ରଖିବାର କ୍ଷମତା ରହିଥିବାରୁ ସଦର ବ୍ଲକ ଓ ବାରଙ୍ଗ ବ୍ଲକର ଆଳୁ ଚାଷୀ ଏହି ଶୀତଳ ଭଣ୍ଡାର ଉପରେ ନିର୍ଭର କରୁଥିଲେ । ତେବେ ଶୀତଳ ଭଣ୍ଡାରଟି ସାଢ଼େ ତିନି ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ । କିନ୍ତୁ ଉଚିତ ରକ୍ଷଣାବେକ୍ଷଣା ଅଭାବରୁ ଶୀତଳ ଭଣ୍ଡାରଟି ଏବେ ଭୂତ କୋଠୀରେ ପରିଣତ ହୋଇଛି । ଏବଂ ଅନାବନା ଗଛ ଲତା ଗହଳରେ ଏବେ ଆତ୍ମଗୋପନ କରିଛି ସର୍ବବୃହତ ଶୀତଳଭଣ୍ଡାର । ଚାଷୀଙ୍କ ସୁବିଧା ପାଇଁ ୧୯୬୬ ମସିହାରେ ୪୨ମୌଜାରେ ସର୍ବବୃହତ ଆଳୁ ସଂରକ୍ଷଣ କେନ୍ଦ୍ରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ସମ୍ପ୍ରସାରଣ ହୋଇଥିଲା । ପ୍ରଥମେ ୭୫୦ ମେଟ୍ରିକ୍ ଟନ୍ ତାପରେ ୧୨୫୦ ଓ ଶେଷରେ ତିନି ହଜାର ମେଟ୍ରିକ୍ ଟନ୍ କୁ ଶୀତଳଭଣ୍ଡାର ସମ୍ପ୍ରସାରିତ ହୋଇଥିଲା । କିନ୍ତୁ ପରିଚାଳନାରେ ବିଭ୍ରାଟ ହେତୁ ଏବଂ ବ୍ୟୟ ଭାର ଅଧିକ ହେତୁ ଶୀତଳ ଭଣ୍ଡାରଟି କ୍ଷତିଗ୍ରସ୍ତ ହୋଇଥିଲା । ଅପରପକ୍ଷେ ୧୯୯୯ ମହାବାତ୍ୟା ପରେ ଏହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବାରୁ ପରବର୍ତ୍ତୀ ମୂହୂର୍ତ୍ତରେ ସଂରକ୍ଷଣ କେନ୍ଦ୍ରଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।
ତେବେ ସରକାରୀ ସ୍ତରରେ ୨ଥର ଉଦ୍ୟମ ହୋଇଥିଲେ ବି କିଛି ସୁଫଳ ମିଳିନଥିଲା । ସର୍ବ ସାଧାରଣରେ ଆଲୋଚନା ହେଉଛି ଯେ, ଚାଷୀମାନଙ୍କ ପାଇଁ ସରକାରୀ ଯୋଜନା ମାଳମାଳ ସହ ଏ ନେଇ ରାସ୍ତା କଡରେ ପ୍ରଚାର ପ୍ରସାର ପାଇଁ ହୋର୍ଡ଼ିଂ ପ୍ରବଳ କିନ୍ତୁ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବା ଦେଖିବାକୁ ମିଳୁଛି । ଯଦି ସରକାର ଏ ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରନ୍ତେ ତେବେ ୪୨ ମୌଜା ଶୀତଳ ଭଣ୍ଡାରଟି ପୁନରୁଦ୍ଧାର ହୋଇପାରନ୍ତା ଏବଂ ଚାଷୀଙ୍କ ଆର୍ଥିକ ପରିସ୍ଥିତି ଉନ୍ନତି ଘଟିବାରେ ଏହା ଅନେକ ପରିମାଣରେ ସହାୟକ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅପେକ୍ଷା ସରକାର ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।
କଟକରୁ ବିଭୁ ପ୍ରସାଦ ସ୍ୱାଇଁ