କଟକ ଜିଲ୍ଲା ୧୪ ବ୍ଲକରେ ସମିତିସଭ୍ୟ ଓ ସରପଞ୍ଚ ଆସନରେ ସଂରକ୍ଷଣ ଅନିୟମିତତା: ବିଜେପି

କଟକ ଜିଲ୍ଲାରେ ୧୪ଟି ବ୍ଲକ ଓ ୩୭୩ଟି ଗ୍ରାମପଞ୍ଚାୟତ ରହିଛି । ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦଦେଇ ଦ୍ୱିତୀୟ ଦଫାରେ କେବଳ ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କୁ ନେଇ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି, ସେଥିରେ ସଂରକ୍ଷଣ ପ୍ରତିଶତ ହାରରେ ତାଳମେଳ ନ ଥିବା ଦେଖାଦେଇଛି । ନୂତନ ତାଲିକାରେ ସଂରକ୍ଷିତ ବର୍ଗର ଭୋଟର ସଂଖ୍ୟା ଭିତ୍ତିରେ ସମ୍ପୃକ୍ତ ବ୍ଲକ ଓ ପଞ୍ଚାୟତରେ ସଂରକ୍ଷଣ ହେବା ନିୟମ ଥିବାବେଳେ ବାସ୍ତବରେ ସଂରକ୍ଷଣ ସ୍ଥିତିରେ ବହୁତ ତାରତମ୍ୟ ରହିଛି । ଏଥିରେ ରାଜନୈତିକ ଅଭିସନ୍ଧି ରଖି ଶାସକ ଦଳରେ ବିଧାୟକଙ୍କ ମତ ଅନୁସାରେ ମନଇଛା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି କଟକ ସଦର ଭାଜପା ନେତା ତଥା ବିଜେପି ଗଣମାଧ୍ୟମର ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁସାରେ କଟକ ସଦର ବ୍ଲକର ୨୩ଟି ପଞ୍ଚାୟତରେ ତଫସିଲଭୁକ୍ତ ଜାତି ଭୋଟର ସଂଖ୍ୟା ୨୯.୨୬ ପ୍ରତିଶତ ଓ ଉପଜାତି ସଂଖ୍ୟା ୧.୯୫ ପ୍ରତିଶତ ଯାହା ସମୁଦାୟ ୨୧.୩୧ ଥିବାବେଳେ ସମିତିସଭ୍ୟ ୩୪.୭୮ ପ୍ରତିଶତ ଓ ସରପଞ୍ଚ ୪୩ ପ୍ରତିଶତ ଦିଆଯାଇ ସାଧାରଣ ବର୍ଗଙ୍କୁ ଉପେକ୍ଷିତ କରାଯାଇଛି । କଣ୍ଟାପଡା ବ୍ଲକରେ ସରକ୍ଷିତ ଭୋଟର ସଂଖ୍ୟା ୨୯.୩୯ ପ୍ରତିଶତ ଥିବାବେଳେ ସମିତିସଭ୍ୟରେ ୩୫.୭ ଓ ସରପଞ୍ଚରେ ୪୨.୮ ପ୍ରତିଶତ ଦିଆଯାଇଛି । ଆଠଗଡ ବ୍ଲକରେ ସଂରକ୍ଷିତ ବର୍ଗର ଭୋଟର ସଂଖ୍ୟା ୨୯.୨୬ ଥିବାବେଳେ ସମିତିସଭ୍ୟରେ ୨୬.୪୭ ଓ ସରପଞ୍ଚରେ ୧୪.୭ ପ୍ରତିଶତ ସଂରକ୍ଷଣ ଦିଆଯାଇ ସଂରକ୍ଷିତ ବର୍ଗଙ୍କୁ ଉପେକ୍ଷା କରାଯାଇଛି । ସେହିପରି ବଡମ୍ବା ବ୍ଲକରେ ସଂରକ୍ଷିତ ବର୍ଗ ସଂଖ୍ୟା ୨୪.୭୧ ଥିବାବେଳେ ସମିତିସଭ୍ୟରେ ୨୩.୬ ଓ ସରପଞ୍ଚରେ ୧୮.୪ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ମାହାଙ୍ଗା ବ୍ଲକରେ ସଂରକ୍ଷିତ ବର୍ଗ ସଂଖ୍ୟା ୨୧.୮୩ ଥିବାବେଳେ ସମିତିସଭ୍ୟରେ ୨୪.୩ ଓ ସରପଞ୍ଚରେ ୨୭.୨ ପ୍ରତିଶତ ଅଧିକ ସଂରକ୍ଷଣ ଦିଆଯାଇଛି । ନିଆଳି ବ୍ଲକରେ ୨୧.୩ ସଂରକ୍ଷିତ ବର୍ଗ ଥିବାବେଳେ ସମିତିସଭ୍ୟରେ ୨୬ ଓ ସରପଞ୍ଚରେ ୩୪.୭ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ଅପରପକ୍ଷେ ସାଲେପୁର ବ୍ଲକରେ ସଂରକ୍ଷିତ ବର୍ଗ ସଂଖ୍ୟା ୨୬.୬ ପ୍ରତିଶତ ଥିବାବେଳେ ସମିତିସଭ୍ୟରେ ୨୮.୫୭ ଓ ସରପଞ୍ଚରେ ୩୪.୨ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ସେହିପରି ନିଶ୍ଚିନ୍ତକୋଇଲି, ତିଗିରିଆ, ନରସିଙ୍ଗପୁର, ବାଙ୍କୀ, ବାଙ୍କୀ-ଡମପଡ଼ା, ଚୌଦ୍ୱାର ଓ ବାରଙ୍ଗ ପ୍ରଭୃତି ବ୍ଲକରେ ଅନିୟମିତତା ହୋଇଛି ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି ।
ସାଲେପୁରରୁ ଅଭୟ ଜେନା