ବର୍ଷ ଆରମ୍ଭରୁ ରକ୍ତ ରଞ୍ଜିତ ହୋଇଥିଲା ମାହାଙ୍ଗା ମାଟି…

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ପୂରିଲା ଏକ ବର୍ଷ । ଆଜିକୁ ଠିକ ଏକ ବର୍ଷ ତଳେ ବର୍ଷ ଆରମ୍ଭରୁ ରକ୍ତ ରଞ୍ଜିତ ହୋଇଥିଲା ମାହାଙ୍ଗା ମାଟି । ଜାନୁଆରୀ ୨ତାରିଖ, ୨୦୨୧ ମସିହା ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବାପି ବିଶ୍ବାଳ, ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଏବଂ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ତଥ୍ୟ ସଂଗ୍ରହ କରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପୋଲିସ ଚାର୍ଜସିଟରୁ ୧୩ ନମ୍ବର ମୁଦଲା ଭାବେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ କେବଳ ଅପେକ୍ଷା ମାନ୍ୟବର କୋର୍ଟଙ୍କ ନିଷ୍ପତ୍ତିକୁ ।