କୋଚିନ୍ ସିପୟାର୍ଡରେ ରହିଛି ଶୀତତାପ ନିୟନ୍ତ୍ରିତ ‘ମୁଜିରିସ୍’ଡଙ୍ଗା

ସିପିୟାର୍ଡର ଜାହାଜ ଟର୍ମିନାଲରେ ଆୟୋଜିତ ସମାରୋହରେ କୋଚିନ୍ ସିପୟାର୍ଡ ଏମଡି ମଧୁ ଏସ୍ ନାୟାର, କେଏମ୍ଆରଏଲ୍ ଏମଡି ଲୋକନାଥ ବେହେରା, ତାଙ୍କ ପତ୍ନୀ ମଧୁମିତା ବେହେରା ଏବଂ ଅନ୍ୟମାନେ ଉପସ୍ଥିତ ରହି ବୈଦ୍ୟୁତିକ ଡଙ୍ଗାରେ ଭ୍ରମଣ କରିଛନ୍ତି । ୱାଟର ମେଟ୍ରୋ ସେବା ପାଇଁ କୋଚିନ୍ ସିପୟାର୍ଡ ଦ୍ୱାରା ନିର୍ମିତ ୨୩ ଟି ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ଡଙ୍ଗାରୁ ପ୍ରଥମଟି କୋଚି ମେଟ୍ରୋକୁ ହସ୍ତାନ୍ତର କରାଯାଇଛି । ଏବଂ ଏହି ଡଙ୍ଗାର ନାମ ‘ମୁଜିରିସ୍’ ରଖାଯାଇଥିବା ଜଣାପଡିଛି ।
ଡଙ୍ଗାଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଥିବାବେଳେ ଏଥିରେ ୧୦୦ ଯାତ୍ରୀଙ୍କ କ୍ଷମତା ରହିଛି । ଏହା ୧୦ ରୁ ୧୫ ମିନିଟ୍ ମଧ୍ୟରେ ଚାର୍ଜ ହୋଇପାରୁ ଥିବାବେଳେ ଘଣ୍ଟା ପ୍ରତି ୧୦ ନାଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ଯାଇପାରିବ । ତେବେ ଉକ୍ତ ଡଙ୍ଗାଟି ଉଭୟ ବ୍ୟାଟେରୀ ଏବଂ ଡିଜେଲ ଜେନେରେଟରଦ୍ବାରା ପରିଚାଳିତ ହୋଇପାରିବ । ବର୍ତ୍ତମାନ ପାଞ୍ଚଟି ଡଙ୍ଗାର ଉତ୍ପାଦନ ଚାଲିଥିବା ସୂଚନା ମିଳିଛି ।
ୱାଟର ଟର୍ମିନାଲଗୁଡ଼ିକର ନିର୍ମାଣ ଏବେ ଅଗ୍ରଗତି କରୁଛି । ଭେଟିଲା ଏବଂ କକ୍କାନାଡ ଟର୍ମିନାଲ୍ ପ୍ରାୟ ସମାପ୍ତ ହୋଇଛି । ତେବେ ଆସନ୍ତା ବର୍ଷ ଏପ୍ରିଲ ମାସରେ ହାଇକୋର୍ଟ, ଭେପିନ୍, ଏଲୋର, ଚେରାନାଲୋର ଏବଂ ଚିତ୍ତୋର ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଥିବା ସୂଚନା ମିଲିଛି । ଭେଟିଲା ହବରେ ଅପରେଟିଂ କଣ୍ଟ୍ରୋଲ୍ ସେଣ୍ଟରରୁ ଡଙ୍ଗାକୁ ସ୍ୱୟଂଚାଳିତ ଭାବରେ ନଜର ରଖିବା ପାଇଁ ସୁବିଧା ରହିଛି ।