ଶାସକ ଦଳ ପାଇଁ ବଦଳିଗଲା କରୋନା ନିୟମ !

ଆସନ୍ତା କାଲି ଅର୍ଥାତ୍ ୨୬ ତାରିଖରେ ବିଜେଡି ପାଳିବ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଏ ନେଇ ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୧ ପୌରାଂଚଳ, ୪ଟି ମହାନଗର ନିଗମରେ ବଡ଼ ଧରଣର ଆୟୋଜନ କରିଛି ଦଳ । ଆଗକୁ ପଂଚାୟତ ଓ ପୌରା ନିର୍ବାଚନ ଥିବାରୁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରୁଛି ଶାସକ ଦଳ । ତେବେ ବିଜେପି ଅଭିଯୋଗ କରିଛି ଦଳୀୟ କାର୍ଯ୍ୟକ୍ରମ ପାଇଁ ଘୋଷଣାର କିଛି ସମୟ ମଧ୍ୟରେ ବଦଳିଯାଇଛି କୋଭିଡ କଟକଣା ତାରିଖ ।
ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ବଡ଼ଦିନ ଓ ନୂଆବର୍ଷ ଉତ୍ସବ ପାଳନ ଉପରେ ସରକାର କଟକଣା ଲଗାଇଛନ୍ତି । ତେବେ ପ୍ରଥମ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ । ଭିଡ଼ ନିୟନ୍ତ୍ରଣ ପାଇଁ ରାଲି ସାମାଜିକ ଓ ସାସ୍କୃତିକ ସମାବେଶ ଉପରେ କଟକଣା ଲଗାଯାଇଥିଲା ।
ହେଲେ ଏହାର କିଛି ଘଣ୍ଟା ପରେ ଏସଆରସିଙ୍କ ପକ୍ଷରୁ ଆଉ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଅର୍ଥାତ ନୂଆ ନିର୍ଦ୍ଦେଶାବଳୀରେ ୨୬, ୨୭, ୨୮,୨୯ ଓ ୩୦ ତାରିଖକୁ ବାଦ ଦିଆଯାଇଛି । ଏ ନେଇ ବିଜେପି ଅଭିଯୋଗ କରିଛି ଯେ, ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କାର୍ଯକ୍ରମ ଥିବାରୁ ନିୟମକୁ ବଦଳାଇ ଦିଆଯାଇଛି । ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଦେଶବ୍ୟାପି ସୁଶାସନ ଦିବସ ପାଳନ କରାଯାଉଥିଲେ ସୁଧା କଟକଣାକୁ କୋହଳ କରାଯାଇ ନାହିଁ ।