ଶୋଚନୀୟ ଅବସ୍ଥାରେ ପଡି ରହିଛି ଏସିଆ ମହାଦେଶର ସର୍ବବୃହତ ସାଇଫନ ଓ ସେତୁକୁ ସଂଯୁକ୍ତ କରୁଥିବା ରାସ୍ତା

କଟକ ଜିଲ୍ଲାର ସାଲେପୁର ବ୍ଲକ ହରିଚନ୍ଦନପୁରରେ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଓ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଦ୍ଵାରା ମହାନଦୀ-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳରେ ଏସିଆ ମହାଦେଶର ସର୍ବବୃହତ ସାଇଫନ ଓ ସେତୁର ଶିଳାନ୍ୟାସ ହୋଇଥିଲା । ଏହା କେବଳ ମହାନଦୀ-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ବୁଦ୍ଧିଜୀବୀଙ୍କ ପାଇଁ ସମ୍ଭବପର ହୋଇଥିଲା । ମହାନଦୀ-ଚିତ୍ରୋତ୍ପଳା ସାଇଫନ ସେତୁ ଆନ୍ଦୋଳନ ମାଧ୍ୟମରେ ଦ୍ୱିପାଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଦୀର୍ଘ ୭ ବର୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ଉପମୁଖ୍ୟ ମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିଲା । ବାସ୍ତବିକ ଏହା ପରିତାପର ବିଷୟ ଯେଉଁ ମୌଳିକ ଲକ୍ଷ୍ୟନେଇ ଦ୍ଵିପାଅଞ୍ଚଳର ଚାଷୀଙ୍କ ଚାଷ ଜମିକୁ ଜଳ ସେଚନ କରିବା ପାଇଁ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହା ନିର୍ମାଣ ହୋଇଥିଲା ତାହା ଏବେ ବୃଥା ହୋଇଛି । ତଳ ଅଞ୍ଚଳକୁ ସଠିକ ଜଳ ପହଁଚି ପାରୁନାହଁ । ଏହି ସେତୁକୁ ସଂଯୁକ୍ତ କରୁଥିବା ଦକ୍ଷିଣ ନଦୀବନ୍ଧ ରାସ୍ତା ମୃକୁଣ୍ଡିଠାରୁ ସାନ୍ତପୁର ଓ ଉତ୍ତର ନଦୀବନ୍ଧ ରାସ୍ତା ମୃକୁଣ୍ଡିଠାରୁ ତାରପୁର ପର୍ଯ୍ୟନ୍ତ ଏହା ଏବେ ପାଲଟିଛି ମରଣଯନ୍ତା l ଏହି ରାସ୍ତାର ନିର୍ମାଣ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ଏପରିକି ଜରୁରିକାଳୀନ ପରିସ୍ଥିତିରେ ଉକ୍ତ ସେତୁ ଦେଇ ଆମ୍ବୁଲାନ୍ସ ଓ ଅଗ୍ନିସମ ଗାଡି ଯାତାୟତ ଏକ ପ୍ରକାରର କଷ୍ଟକର ।
ସାଲେପୁର ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ କେତେକ ପଂଚାୟତ ଯାଉଥିବାରୁ ରାଜନେତାମାନେ ଏହାକୁ ଗୁରୁତ୍ୱ ଦେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ନଦୀବନ୍ଧରେ ମାତ୍ରାଧିକ ବାଲି ବୋଝେଇ ଟ୍ରକ, ଡମ୍ଫର, ଟ୍ରାକ୍ଟର ଗୁଡିକ ଅବାଧରେ ଯାତାୟାତ କରିବା ଯୋଗୁଁ ଦୀର୍ଘବର୍ଷ ହେବ ଏହି ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଛି l ହେଲେ ସବୁ ଜାଣି ନିଦାବିଷ୍ଣୁ ପାଲଟିଛି ପ୍ରଶାସନ l ଏବେ କଦର୍ଯ୍ୟ ନଦୀବନ୍ଧ ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ l ଏହି ରାସ୍ତା ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗିବା ସହ ଗ୍ରାମାଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l
ଯଦି ପ୍ରଶାସନ ଏନେଇ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଦ୍ୱିପାଅଞ୍ଚଳର ଜନସାଧାରଣ ଚେତାବନୀ ଦେଇଛନ୍ତି l ତେବେ ଦେଖିବାକୁ ବାକି ରହିଲା ଏସିଆ ମହାଦେଶର ସର୍ବବୃହତ ସାଇଫନ ଓ ସେତୁକୁ ସଂଯୁକ୍ତ କରୁଥିବା ରାସ୍ତାର ଅବସ୍ଥା କେବେ ସୁଧୁରୁଛି l
ସାଲେପୁରରୁ ଅଭୟ ଜେନା